ରିଆମାଳ,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଖଇରିପାଲି ଫାଣ୍ଡି ଅନ୍ତର୍ଗତ ଖିଲେଇ ଗ୍ରାମରେ ଜଣେ ଗାଈ ଚରାଳି ବୁଡି ଯାଇ ମୃତ୍ୟୁ ବରଣ କରିଅଛି। ମୃତକ ହେଲେ ଗ୍ରାମର ଭୁବନେଶ୍ୱର ବେହେରାଙ୍କ ପୁଅ ବିଷ୍ଣୁ ବେହେରା (୩୦)। ସେ ଗାଈ ଚୋରାଳି ଭାବେ କାର୍ୟ୍ୟ କରିଆସୁଥିଲା। ଗ୍ରାମର ସମସ୍ତ ଗୋରୁ,ଗାଈ ଚୋରାଇ ପରିବାର ପ୍ରତିପୋଷଣ କରୁଥିଲା। ଗୁରୁବାର ଗୋରୁପୋଲ ଧରି ଘରୁ ଜଙ୍ଗଲକୁ ଗାଈ ଚୋରାଇବାକୁ ଯାଇଥିଲା। ଅପରାହ୍ନ ସମୟରେ ଗୋରୁ ପୋଲ ଧରି ଘର ବାହୁଡା ସମୟ ବେଳକୁ ସ୍ତ୍ରୀ ନିକଟସ୍ଥ ସିଆରିମାଳିଆ ବନ୍ଧ କୁ ଭାତ ଆଣିଦେଇଥିଲା। ବନ୍ଧରେ ହାତ ଗୋଡ ଧୋଇ ଭାତ ଖାଇବି ବୋଲି ସ୍ତ୍ରୀକୁ କହି ବନ୍ଧ ଭିତରକୁ ଚାଲି ଯାଇଥିଲା। ମାତ୍ର ଗୋଡ ଖସି ଯାଇଥିଲା। ସେ ପହଁରା ଜାଣି ନଥିବାରୁ ବନ୍ଧରେ ଉବୁଟୁବୁ ହେଉଥିଲା। ହିଡ ମୁଣ୍ଡରେ ଠିଆ ହୋଇଥିବା ସ୍ତ୍ରୀ ଉଦ୍ଧାର ପାଇଁ ଚିତ୍କାର କରି ଦୌଡି ଆସିଥିଲା। ନିଜ ଶାଢି ଦ୍ୱାରା ଉଦ୍ଧାର କରିବାକୁ ସ୍ୱାମୀ ନିକଟକୁ ଶାଢୀ ଫିଙ୍ଗିଥିଲା ମାତ୍ର ଶୀତୁଆ ସୁଲୁସୁଲିଆ ପବନ ପାଇଁ ସ୍ୱାମୀ ପାଖରେ ପହଂଚି ପାରୁ ନଥିଲା। ଏହି ସମୟରେ କିଛି ଆୟଉପାୟ କରି ନ ପାରି ମୋ ସ୍ୱାମୀକୁ ବଂଚାଅ ବୋଲି ବହୁ ଜୋର୍ ରେ ଚିତ୍କାର କରିଥିଲା। ମାତ୍ର ନିକଟରେ ଧାନ ବେଙ୍ଗଳା କରୁଥିବା ଟ୍ରାକ୍ଟର ଓ ମେସିନର ଉଚ୍ଚା ଶବ୍ଦ ମଧ୍ୟ ବୋଇରୀ ସାଜିଥିଲା। କାହାରି ପାଖରେ ପହଂଚି ପାରିଲାନି ଡାକ ଓ କେହି ଆସି ପାରିଲେନି।
ଅଳ୍ପ ସମୟ ମଧ୍ୟରେ ସ୍ୱାମୀ ପାଣି ପିଇ ଦେଇ ପାଣିରେ ବୁଡି ଯାଇ ଥିଲା। ନିଜ ସମ୍ମୁଖରେ ସ୍ୱାମୀଙ୍କୁ ଉଦ୍ଧାର କରି ନପାରି ଅଚେତ ପଡିଥିଲା ସ୍ତ୍ରୀ। ପରେ କିଛି ଜନସାଧାରଣ ଏହି ରାସ୍ତା ଦେଇ ଆସିଥିଲେ। ବିଷ୍ଣୁର ସ୍ତ୍ରୀ’କୁ ଦେଖି ସେମାନେ ଚିତ୍କାର କରି ଖବର ଦେବାରୁ ପରିବାର ଓ ଗ୍ରାମବାସୀ ଆସିଥିଲେ। ସ୍ତ୍ରୀର ଚେତା ଆସିବା ପରେ ସେ ଘଟଣା ବିଷୟରେ କହିଥିଲା। ମାତ୍ର ବନ୍ଧରେ ଅଗଭୀର ଜଳ ଥିବାରୁ ଉଦ୍ଧାର କରିବାକୁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନଥିଲେ। ଏହା ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଖବର ପାଇ ରିଆମାଳ ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ଖଇରିପାଲି ଫାଣ୍ଡି ଅଧିକାରୀ ଗୋପବନ୍ଧୁ ବେହେରା ପହଂଚି ଶବକୁ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଯାଇଛି। ତାଙ୍କ ମୃତ୍ୟୁରେ ପରିବାର ଓ ସ୍ତ୍ରୀ ଭାଙ୍ଗି ପଡିଛନ୍ତି। ସ୍ତ୍ରୀ ବାରମ୍ବାର ଚେତା ଶୂନ୍ୟ ହୋଇପଡୁଛି। ଜିଲ୍ଲା ପ୍ରଶାସନ ତୁରନ୍ତ ପରିବାରଙ୍କୁ ଆର୍ଥିକ ସହୟତା ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି।