ରୂପେ ଡେବିଟ୍‌କାର୍ଡ ଏବଂ ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ରୂପେ ଡେବିଟକାର୍ଡ ଏବଂ କମ ଟଙ୍କା (୨୦୦୦ ଟଙ୍କା ପର୍ଯ୍ୟନ୍ତ) ଭୀମ-ୟୁପିଆଇ କାରବାର (ବ୍ୟକ୍ତିଙ୍କଠାରୁ ବ୍ୟବସାୟୀ-ପି୨ଏମ)କୁ ଦେଶରେ ପ୍ରୋତ୍ସାହିତ କରିବା ଲାଗି ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ, ରୂପେ ଡେବିଟ୍‌କାର୍ଡ ଜରିଆରେ କରାଯାଉଥିବା କାରବାର ଏବଂ କମ ମୂଲ୍ୟର ଭୀମ-ୟୁପିଆଇ ପେମେଣ୍ଟ୍ ମାଧ୍ୟମକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ସେମାନଙ୍କୁ କାରବାର ପରିମାଣର କିଛି ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଆକାରରେ ଦିଆଯିବ।

୧, ଏପ୍ରିଲ ୨୦୨୧ ଠାରୁ ଲାଗୁ ଗୋଟିଏ ବର୍ଷର ଅବଧି ପାଇଁ ଏହି ଯୋଜନାରେ ମୋଟ ୧,୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଯୋଜନାକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକରେ ଦୃଢ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସୁଦୃଢ଼ କରିବାର ସୁବିଧା ଯୋଗାଇ ଦିଆଯିବ। ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସୁଦୃଢ଼ ହେବ। ଫଳରେ ସମାଜର ଗରିବ ଏବଂ ଔପଚାରିକ ବ୍ୟାଙ୍କ ସେବା ଓ ଆର୍ଥିକ ବ୍ୟବସ୍ଥା ଠାରୁ ଅପହଞ୍ଚ ସ୍ଥିତିରେ ଥିବା ଲୋକମାନେ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବାର ସୁବିଧା ପାଇପାରିବେ। ଏହି ଯୋଜନା ଫିନ୍‌ଟେକ୍ କ୍ଷେତ୍ରରେ ଗବେଷଣା ଓ ବିକାଶକୁ ତ୍ୱରାନ୍ୱିତ କରିବ। ଦେଶର ବିଭିନ୍ନ ପ୍ରାନ୍ତରେ ଡିଜିଟାଲ ପେମେଣ୍ଟକୁ ବିସ୍ତାରିତ କରିବାରେ ସରକାରଙ୍କୁ ବିଶେଷ ଭାବେ ସହାୟକ ହୋଇପାରିବ।