ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନାର ଗୁଡ଼ଭେଲା-ତୁଷୁରା ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ତୁଷୁରା ପୁଲିସ ୨୧କେଜି ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ କଲାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସିଂହପୁରର ମୁନୁ ତାଣ୍ଡି ଓ କନ୍ଧମାଳ ଜିଲ୍ଲା ବଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁର ପ୍ରକାଶ ନାୟକ ବୋଲି ତୁଷୁରା ଆଇଆଇସି ସଞ୍ଜୀବ ପ୍ରଧାନ ସୂଚନା ଦେଇଛନ୍ତି। ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲ ମାଜିଷ୍ଟ୍ରେଟ ଭାବରେ ଆସିବା ପରେ ପୁଲିସ ଜବତ ଗଞ୍ଜେଇକୁ ଓଜନ କରିଥିଲା। ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଏହି ଚଢ଼ଉରେ ତୁଷୁରା ପୁଲିସ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।