ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି: ପ୍ରଥମ ମ୍ୟାଚ୍‌କୁ ଡ୍ର’ ରଖିଲା ଭାରତ

ଢାକା,ଏଜେନ୍ସି: ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଛି ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଏଥିରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଭାରତ କୋରିଆ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିଥିବା ବେଳେ ଏହି ମ୍ୟାଚ୍‌ଟି ୨-୨ରେ ଡ୍ର’ ରହିଛି। ଏହି ମ୍ୟାଚ୍‌ର ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟର୍‌ରେ ଭାରତ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି କ୍ୱାର୍ଟର୍‌ରେ କୋରିଆ ଟିମ୍ ତା’ର ଡିଫେନ୍ସକୁ ବେଶ୍ ସଶକ୍ତ କରିପାରିଥିଲା। ଫଳରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ନେଇ ରଖିଥିବା ଆଶାକୁ ଝଟ୍‌କା ଲାଗିଛି। ପ୍ରଥମ ଦୁଇଟି କ୍ୱାର୍ଟର୍‌ରେ ଭାରତୀୟ ଖେଳାଳିମାନେ ୫୮ ପ୍ରତିଶତ ସମୟରେ ବଲ୍‌କୁ ନିଜ କବ୍‌ଜାରେ ରଖିପାରିଥିଲେ। ଏହାଛଡ଼ା ଏହି ୩୦ ମିନିଟ୍‌ର ଖେଳରେ ଭାରତୀୟ ଖେଳାଳିମାନେ ଅତି କମ୍‌ରେ ୧୪ ଥର କୋରିଆ ଡିଫେନ୍ସକୁ ଭେଦିବାକୁ ଉଦ୍ୟମ କରିଥିଲେ।

ଅନ୍ୟପକ୍ଷରେ କୋରିଆ ୮ ଥର ଭାରତ ସର୍କଲ୍ ଭିତରେ ପ୍ରବେଶ କରିଥିଲା। ଭାରତ ପାଇଁ ତୃତୀୟ ମିନିଟ୍‌ରେ ଲଳିତ କୁମାର ଉପାଧ୍ୟାୟ ପ୍ରଥମ ଗୋଲ୍ ଦେଇଥିଲେ। ସେ ସାଥୀ ଖେଳାଳିଙ୍କଠାରୁ ଏକ ଏରିଅଲ୍ ପାସ୍ ପାଇ ଏହାକୁ ଗୋଲ୍‌ରେ ପରିଣତ କରିଥିଲେ। ଦ୍ୱିତୀୟ କ୍ୱାର୍ଟର୍‌ରେ ଆକାଶଦୀପ ସିଂହ ଏକ ଗୋଲ୍ ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୋରିଆ ଗୋଲକିପର୍ କିମ୍ ଜାହିଓନ୍ ବେଶ୍ ସଜାଗ ଥିବାରୁ ଭାରତ ତା’ର ଅଗ୍ରଣୀକୁ ଦ୍ୱିଗୁଣିତ କରିବାରୁ ବଞ୍ଚିତ ହୋଇଥିଲା। ଅଧିକନ୍ତୁ ଦ୍ୱିତୀୟ କ୍ୱାର୍ଟର୍‌ର ଶେଷ ଭାଗରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍ ଶଟ୍‌କୁ ମଧ୍ୟ କୋରିଆ ଗୋଲକିପର୍ ରୋକିଦେଇଥିଲେ। ବରୁନ୍ କୁମାରଙ୍କ ଶଟ୍ କିମ୍‌ଙ୍କ ପ୍ୟାଡ୍‌ରେ ବାଜି ଡିଫ୍ଲେକ୍ଟ ହୋଇଥିଲା। ଏହାକୁ ଯୁବ ଖେଳାଳି ମନଦୀପ ମୋର୍ ସଂଗ୍ରହ କରି ଶଟ୍ ମାରିଥିଲେ ମଧ୍ୟ ତାହାକୁ କୋରିଆ ଗୋଲକିପର୍ ରୋକିବାରେ ସକ୍ଷମ ହୋଇଥିଲେ।

ଦ୍ୱିତୀୟାର୍ଦ୍ଧରେ ୩୩ତମ ମିନିଟ୍‌ରେ ଉପଅଧିନାୟକ ହରମନପ୍ରୀତ୍ ସିଂହଙ୍କ ପେନାଲ୍‌ଟି କର୍ଣ୍ଣର୍ ଗୋଲ୍ ମାଧ୍ୟମରେ ଭାରତ ୨-୦ରେ ଆଗୁଆ ରହିଥିଲା। ଏହା ଭାରତ ପାଇଁ ତୃତୀୟ ପେନାଲ୍‌ଟି କର୍ଣ୍ଣର୍ ଥିଲା। ପରେ ୪୨ତମ ମିନିଟ୍‌ରେ କୋରିଆ ତା’ର ପ୍ରଥମ ପେନାଲ୍‌ଟି କର୍ଣ୍ଣର୍‌ରୁ ଗୋଲ୍ ଦେଇ ବ୍ୟବଧାନକୁ କମାଇଥିଲା। ଏହି ଗୋଲ୍‌ଟି ଜୋଙ୍ଗହ୍ୟୁନ୍ ଜାଙ୍ଗ୍ ସ୍କୋର୍ କରିଥିଲେ। ଶେଷ କ୍ୱାର୍ଟର୍‌ରେ ମଧ୍ୟ କୋରିଆ ଖେଳାଳିମାନେ ଭାରତର ରକ୍ଷଣପନ୍ଥୀ ଖେଳାଳିଙ୍କୁ ଚାଲେଞ୍ଜ୍ ଦେଇଥିଲେ।

୪୬ତମ ମିନିଟ୍‌ରେ କିମ୍ ହିଓଙ୍ଗଜିନ୍ ଭାରତୀୟ ଗୋଲକିପର୍ ସୂରଜ କର୍କେରାଙ୍କୁ ପରାସ୍ତ କରି ଏକ ଫିଲ୍‌ଡ ଗୋଲ୍ ଦେଇଥିଲେ। ଫଳସ୍ୱରୂପ ସ୍ଥିତି ୨-୨ରେ ବରାବର ହୋଇଥିଲା। ପରେ ଭାରତକୁ ଏକାଧିକ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ପରିଣତ କରିବାରେ ଖେଳାଳିମାନେ ସଫଳ ହୋଇ ନଥିଲେ। ଫଳସ୍ୱରୂପ ଗତ ୨୦୧୭ରେ ଏଠାରେ ଖେଳାଯାଇଥିବା ମ୍ୟାଚ୍ ପରି ମଙ୍ଗଳବାର ମ୍ୟାଚ୍‌ଟି ମଧ୍ୟ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଉକ୍ତ ମ୍ୟାଚ୍‌ଟି ହିରୋ ଏସିଆ କପ୍ ଅନ୍ତର୍ଗତ ଥିଲା ଏବଂ ସେଥିରେ କୋରିଆ ଓ ଭାରତ ଗୋଟିଏ ଲେଖାଏଁ ଗୋଲ୍ ଦେଇପାରିଥିଲେ। ଫଳାଫଳରେ ଅଧିନାୟକ ମନପ୍ରୀତ୍ ସିଂହ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରତିଯୋଗିତାରେ ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ବୁଧବାର ଆୟୋଜକ ବାଂଲାଦେଶକୁ ଭେଟିବ।