ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଦିନ ଦ୍ୱିପ୍ରହରରେ ପୁଲିସକୁ ଚକମା ଦେଇ ଜଣେ କଏଦୀ ଫେରାର ହୋଇଯାଇଛି। ପ୍ରଥମେ କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯିବା ପରେ ଏନେଇ ବାଲିଗୁଡ଼ା ଥାନାରେ କାରାଗାର ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି। ଫେରାର ଅଭିଯୁକ୍ତ ଜଣକ ବ୍ରାହ୍ମଣୀଗାଁ ଅଂଚଳର ଟୁକୁନା ମଲ୍ଲିକ (୩୮)। ଟୁକୁନା ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେବ ସଜା କାଟୁଥିଲେ। ବିଚାରାଧୀନ କଏଦୀ କାରାଗାରରୁ ଫେରାର ହେବା ପରେ ଏବେ ଉପଖଣ୍ଡ କାରାଗାରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ରିପୋର୍ଟ ମୁତାବକ, କଏଦୀ ଜଣକ କାରାଗାର ଗେଟରେ ରହିବା, ଜେଲ ସୁପରିଟେଣ୍ଡଙ୍କ ବ୍ୟକ୍ତିଗତ କାର୍ଯ୍ୟ କରିବା ସହ ଅନ୍ୟ କର୍ମଚାରୀଙ୍କ କାର୍ଯ୍ୟ ମଧ୍ୟ କରିଆସୁଥିଲା। ସୋମବାର କିଛି କଏଦୀଙ୍କ ଜାମିନ ହୋଇଥିବାବେଳେ ସେମାନଙ୍କୁ ଗେଟରେ ଛାଡ଼ିବାର ସୁଯୋଗ ନେଇ ଟୁକୁନା ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏସମ୍ପର୍କରେ ଜେଲ ସୁପରିଟେଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି ସେମାନେ ଆସି କାମ କରୁଥିଲେ। ତାଙ୍କ କାର୍ଯ୍ୟକଳାପରେ ପରିବର୍ତ୍ତନ ଦେଖି ଗେଟକୁ ଅଣାଯାଇଥିଲା। କିନ୍ତୁ ଜଣେ ବିଚାରାଧୀନ କଏଦୀକୁ ଗେଟକୁ ଆଣିବା ଓ ସ୍ୱାଧୀନତା ଦେବା କେତେଦୂର ଯୁକ୍ତିଯୁକ୍ତ ତା’ର ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।