ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ପରିବାର ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରୀ ରାଜେଶ ଟୋପେ ଶନିବାର କହିଛନ୍ତି ଯେ, ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନ ସମୟରେ ଜୀବନ ହରାଇଥିବା ୪୨ ଜଣ ସଂପର୍କୀୟଙ୍କୁ ସରକାରୀ ଚାକିରି ଦିଆଯିବ। ସେ କହିଛନ୍ତି ଯେ, ସେ ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା କରିବେ। ସରକାର ଏହି ପରିବାରକୁ ପୂର୍ବରୁ ୧୦-୧୦ ଲକ୍ଷ ଅନୁକମ୍ପାମୂଳକ ରାଶି ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ମରାଠା ସଂଗଠନ ୨୦୧୬ ଓ ୨୦୧୮ ମଧ୍ୟରେ ଚାକିରି ଓ ଶିକ୍ଷାରେ ସଂପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ରାଜ୍ୟ ସରକାର ମରାଠାଙ୍କୁ ସଂରକ୍ଷଣ ଦେଇଥିଲେ। କିନ୍ତୁ ସୁପ୍ରିମ୍କୋର୍ଟ ଏହି ଆଇନ୍କୁ ରଦ୍ଦ କରିଦେଇଥିଲେ। ଅନ୍ୟପଟରେ ମହାରାଷ୍ଟ୍ର ଲୋକ ସେବାରେ ସ୍ବତନ୍ତ୍ର ପଛୁଆ ବର୍ଗଙ୍କ ପ୍ରାର୍ଥୀଙ୍କୁ ୧୯୯୪ରେ ପ୍ରଦାନ କରାଯାଇଥିବା ୨ ପ୍ରତିଶତ ସଂରକ୍ଷଣ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ୟୁଥ ଫର ଇକ୍ବାଲିଟି ସଂଗଠନ ତରଫର ଆବେଦନରେ ଦାବି କରାଯାଇଥିଲା ଯେ, ମହାରାଷ୍ଟ୍ର ସରକାରଙ୍କ ଚାକିରିରେ ୨ ପ୍ରତିଶତ କୋଟା ଅସମ୍ବିଧାନିକ।