ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଗଦାପୁର ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ନିମନ୍ତେ ସମସ୍ତ ସୁବିଧା ଅଛି। ଗଦାପୁର ଗ୍ରାମର ଓଡ଼ିଆ ସାହି, ପାଣ ସାହି, ଆଦିବାସୀ ସାହି, ବଜାର ସାହିରେ ପ୍ରାୟ ୭ ଶହ ପରିବାର ବସ ବାସ କରୁଛନ୍ତି। ବସୁଧା ଯୋଜନାରେ ଏହି ଗ୍ରାମର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। କିଛି ଦିନ ଲୋକେ ପାନୀୟ ଜଳ ଅଭାବରୁ ତ୍ରାହି ପାଇଥିଲେ, କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ମାସ ମାସ ଧରି ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଏକ ବୈଠକ କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ।
ମଟର ଅପରେଟରଙ୍କୁ ପଚାରି ବୁଝିବାରୁ ବିଦ୍ୟୁତ ସଂଯୋଗ ହେଲେ ପାଣି ଯୋଗାଇବାରେ କୌଣସି ଅସୁବିଧା ନାହିଁ ବୋଲି କହୁଥିବା ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ବକେୟା ବିଦ୍ୟୁତ ବିଲ ପୈଠ ନକଲେ ବିଦ୍ୟୁତ ସଂଯୋଗ ହୋଇପାରିବ ନାହିଁ। ଗ୍ରାମବାସୀ ଏ ସମ୍ପର୍କରେ ସରପଞ୍ଚଙ୍କ ଠାରୁ ଅରମ୍ଭ କରି ବ୍ଲକ୍ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଜଣାଇବା ପରେ ଗୋଟିଏ ଦିନ ପାଇଁ ପାଣି ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାହାକୁ ପୁଣି ବନ୍ଦ କରାଯାଇଛି। ଏଣୁ ବାଧ୍ୟ ହୋଇ ଲୋକେ ନଦୀ ନାଳ କିମ୍ବା ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଏହାଦ୍ୱାରା ଗ୍ରାମବାସୀ ବିଭିନ୍ନ ଅଜଣା ରୋଗର ଶିକାର ହେଉଥିବା ନଜିର ରହିଛି।
କୋଭିଡ ପରେ ଓମିକ୍ରନ ଭଳି ମହାମାରୀ ଦେଶରେ ପ୍ରବେଶ କରିଥିବା ବେଳେ ସମସ୍ତ ସୁବିଧା ଥାଇ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବା ଅତି ଦୁର୍ଭାଗ୍ୟର ବିଷୟ ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ କ୍ଷେତ୍ରରେ ପଦକ୍ଷେପ ନେବାକୁ ଗ୍ରାମର ପୂର୍ବତନ ସରପଞ୍ଚ ଚିଲିକା ମୁଠାମାଝୀ, ଅଶୋକ ପାଲଟା ସିଂ, ଟୁନା ସିଂ, ଅନାଦି ମାଳି, ସୁରଥ ବଡ଼ ନାୟକ, ସୁଶୀ ମନ୍ତ୍ରୀ, ଶୁଭଦ୍ରା ଉଠାନ ସିଂ, ରାସେଣ୍ଟ ପାଲଟା ସିଂ ସମେତ ଗ୍ରାମବାସୀ ଦାବି କରିଛନ୍ତି।