ପିପିଲି ଓଭରବ୍ରିଜ୍‌ରେ ଡିଲ୍ ଭଣ୍ଡୁର: ୫ ହରିଣଛାଲ ଜବତ, ଦୁଇ ଯୁବକ ଗିରଫ

ଭୁବନେଶ୍ୱର,ଧଉଳି,ଏନ୍‌ଏନ୍‌ଏସ୍‌: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ପୁରୀ ଜିଲ୍ଲା ପିପିଲି ଓଭର୍‌ବ୍ରିଜ୍ ନିକଟରେ ଚଢଉ କରି ଦୁଇଜଣ ବନ୍ୟପ୍ରାଣୀ ମାଫିଆଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ଗୋପ ଥାନା ଅନ୍ତର୍ଗତ ନେତିଗୋଡ଼ା ଗ୍ରାମର ସୁନିଲ କୁମାର ପଲାଇ। ଏମାନଙ୍କ ଠାରୁ ୫ଟି ହରିଣ ଛାଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ଦ୍ୱୟଙ୍କୁ ବାଲିପାଟଣା ବନବଭାଗକୁ ହସ୍ତାନ୍ତର କରିଦିଆଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତଦ୍ୱୟ ଏକ ବାଇକରେ ହରିଣଛାଲକୁ ଆଣି ପିପିଲି ଓଭରବ୍ରିଜ୍ ନିକଟରେ ଗ୍ରାହକଙ୍କ ଅପେକ୍ଷାରେ ଛିଡ଼ା ହୋଇଥିଲେ। ଏସମ୍ପର୍କରେ ଏସ୍‌ଟିଏଫ୍ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇ ବନବିଭାଗକୁ ଜଣାଇବା ପରେ ଏକ ମିଳିତ ଟିମ୍ ସେଠାକୁ ଯାଇ ଚଢଉ କରି ସେମାନଙ୍କୁ ଗିରଫ କରିଥିଲେ।

ଅଭିଯୁକ୍ତ ଦ୍ୱୟ ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣ ଶିକାର କରିଥିଲେ ବୋଲି ଏସ୍‌ଟିଏଫ୍ ଜାଣିବାକୁ ପାଇଛି। ତେବେ ଉଭୟେ କେବେ ହରିଣମାନଙ୍କୁ ଶିକାର କଲେ, ଏହା ପୂର୍ବରୁ ଆଉ କେତୋଟି ହରିଣଙ୍କୁ ଶିକାର କରିଛନ୍ତି, କାହାକୁ ବିକ୍ରି କରିବାକୁ ଆସିଥିଲେ, ଏଭଳି ବିଭିନ୍ନ ଦିଗକୁ ନେଇ ଏସ୍‌ଟିଏଫ୍ ତଦନ୍ତ କରୁଛି। ଏନେଇ ବାଲିପାଟଣା ବନବିଭାଗ ପକ୍ଷରୁ ପୃଥକ ମାମଲା (୩ ବି.ଏଲ୍‌/୨୧-୨୨, ୪ ବି.ଏଲ୍‌/୨୧-୨୧) ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ କହିଛନ୍ତି।