ଜ୍ୱାଇଁର ମାଡ଼ରେ ଶ୍ୱଶୁର ମୃତ ଓ ସ୍ତ୍ରୀ ଗୁରୁତର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରେଙ୍ଗାଲି ଥାନା ଅନ୍ତର୍ଗତ ଲଛିପାଲି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜ୍ୱାଇଁର ମରଣାନ୍ତକ ଆକ୍ରମଣରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ସହଦେବ ସୁନା(୬୦) ଓ ତାଙ୍କ ଝିଅ ମୋହିନୀ ହରିଜନ(୩୨)ବୋଲି ରେଙ୍ଗାଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବକ, ସହଦେବଙ୍କ ଝିଅ ମୋହିନୀ ଭୁନ୍ଦୁପାଲି ଗ୍ରାମର ବ୍ରହ୍ମା ହରିଜନକୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଅସନ୍ତୋଷ ଲାଗି ରହିଥିଲା। ଫଳରେ ବ୍ରହ୍ମା ଓ ମୋହିନୀ ଉଭୟେ ଆସି ଲଛିପାଲିରେ ରହୁଥିଲେ। ତେବେ ଗତ ୫ ମାସ ପୂର୍ବରୁ ବ୍ରହ୍ମା ଘର ଛାଡ଼ି କୁଆଡ଼େ ଚାଲି ଯାଇଥିଲେ। ହେଲେ ଗତ ରବିବାର ରାତିରେ ହଠାତ ଲଛିପାଲିକୁ ଆସି ଘରେ ସମସ୍ତେ ଖାଇପିଇ ଶୋଇଥିବା ସମୟରେ ଏକ ଠେଙ୍ଗା ସାହାଯ୍ୟରେ ଶ୍ୱଶୁର ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଘର ଭିତରୁ ସହଦେବ ଏବଂ ମୋହିନୀର ଚିତ୍କାର ଶୁଣି ସହଦେବଙ୍କ ବଡ଼ ଭାଇଙ୍କ ପରିବାର ଓ ପଡ଼ୋଶୀ ଲୋକେ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ସହଦେବଙ୍କୁ ମୃତ ଘୋଷଣା କରିବା ପରେ ମୋହିନୀଙ୍କ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ମୃତକ ସହଦେବଙ୍କ ବଡ଼ ଭାଇର ପୁଅ ବିରଞ୍ଚି ସୁନା ସୂଚନା ଦେଇଛନ୍ତି। ଅନ୍ୟପଟେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସାଇଣ୍ଟିଫିିକ ଟିମ୍ ଓ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଂଚି ହତ୍ୟାରେ ବ୍ୟବହୃତ ହୋଇଥିବା ଠେଙ୍ଗାକୁ ଜବତ କରିବା ସହ ଅଭିଯୁକ୍ତ ବ୍ରହ୍ମାକୁ ଅଟକ ରଖି ଏକ ମାମାଲା ରୁଜୁ କରି ଅଧକ ତଦନ୍ତ ଜାରି ରଖିଛନ୍ତି।