ବାତ୍ୟା ରୂପ ନେଲା ଗଭୀର ଅବପାତ, ପୁରୀ ଛୁଇଁବ ଜୱାଦ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦକ୍ଷିଣ ଆଣ୍ଡମ।।ନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନିମୂତ ହୋଇ ବାତ୍ୟା ରୂପ ନେଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ କ୍ରମଶଃ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଏବେ ବଙ୍ଗୋପସାଗରରେ ଗୋପାଳପୁରରୁ ୪୭୦ କିମି, ପୁରୀରୁ ୫୩୦ କିମି ଓ ପାରାଦ୍ୱୀପରୁ ୬୦୦ କିମି ଦୂରରେ ରହିଛି। ଆସନ୍ତାକାଲି ପୂର୍ବାହ୍ନରେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ପହଞ୍ଚିବ। ଦିନ ୧୧ଟା ୩୦ ସୁଦ୍ଧା ଏହା ଏକ ଭୀଷଣ ବାତ୍ୟାରେ ପରିଣତ ହେବ। ସେଠାରୁ ବାତ୍ୟା ଜୱାଦ ସମୁଦ୍ର ଭିତରେ ନିଜର ଦିଗ ବଦଳାଇବା (ରି-କର୍ଭ) ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଥିବା ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ବାତ୍ୟା ଜୱାଦ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବ। ତେଣୁ ଓଡ଼ିଶା ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ। ପଶ୍ଚିମବଙ୍ଗରେ ପହଞ୍ଚିବା ବେଳକୁ ଏହା ଏକ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ କିମ୍ବା ଲଘୁଚାପରେ ପରିଣତ ହୋଇସାରିଥିବ। ଏହାର ବିଶେଷ ପ୍ରଭାବ ଶୁକ୍ରବାର ମଧ୍ୟରାତିରୁ ଆରମ୍ଭ ହେବ। ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ ବଢ଼ିବା ସହ ପବନର ବେଗ ୫୦ କିମି ଯାଏ ରହିବା ସମ୍ଭାବନା ରହିଛି। ଶନିବାର ସକାଳୁ ରବିବାର ସକାଳ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମି ଛୁଇଁପାରେ। ବେଳେ ବେଳେ ୧୧୦ କିମି ବେଗରେ ଝଟକା ପବନ ହେବ। ଆସନ୍ତାକାଲି ଅମାବାସ୍ୟା ଥିବାରୁ ବାତ୍ୟାବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିବ। ନିୟମିତ ପ୍ରାୟ ୪ ମିଟର ଉଚ୍ଚ ଜୁଆର ଆସିଥାଏ, କିନ୍ତୁ ବାତ୍ୟା ଯୋଗୁ ଆସନ୍ତାକାଲି ଏହା ଆଉ ୧ ମିଟର ବଢ଼ିବ। ତେଣୁ ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ଥିବାରୁ ସମୁଦ୍ର ନିକଟବର୍ତ୍ତୀ ଲୋକେ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା ‘ଜୱାଦ’ର କୋପ ବାତ୍ୟା ‘ଗୁଲାବ’ଠୁ ଅଧିକ ଏବଂ ‘ତିତଲି’ଠୁ କମ୍ ରହିବା ସମ୍ଭାବନା ରହିଛି। ଆକଳନ ଅନୁସାରେ ସମୁଦ୍ର ଭିତରେ ଥିବାବେଳେ ଏହି ବାତ୍ୟା ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। କିନ୍ତୁ ଆସନ୍ତା ୫ ତାରିଖ ଦିନ ସ୍ଥଳଭାଗ ପାଖେଇ ଆସିବା ବେଳକୁ ଏହା ସାମାନ୍ୟ ଦୁର୍ବଳ ହେବା ସହ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏହି କାରଣରୁ ବାତ୍ୟା ଫନୀ ତୁଳନାରେ ଏହାର ଶକ୍ତି କମ ରହିବ ବୋଲି ଆଶା କରାଯାଉଥବା ଡିଜି ଶ୍ରୀ ମହାପାତ୍ର କହିଛନ୍ତି। ତେବେ ‘ଜୱାଦ’ ପୁରୀ ଉପକୂଳର ନିକଟବର୍ତ୍ତୀ ହେବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ତଥା ଝଟକା ପବନର ବେଗ ୯୫ କିମି ଯାଏ ରହିପାରେ। କିନ୍ତୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି। ବାତ୍ୟା ପ୍ରଭାବରେ ରାଜ୍ୟରେ ଶୁକ୍ରବାର ପାଗ କୋହଲା ରହିବା ସହ ଏକାଧିକ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି । ଶନିବାର ଏହାର ପ୍ରକୋପ ଅଧିକ ରହିବ। ବିଶେଷ କରି ପୁରୀ, ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ବର୍ଷା ଓ ପବନର ବେଗ ଅଧିକ ରହିବ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସମୁଦ୍ର ଉପରେ ବାତ୍ୟା ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି। ରାଜ୍ୟର ସମସ୍ତ ବନ୍ଦରରରେ ୪ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବାବେଳେ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି।

ଅବପାତ ବାତ୍ୟା ରୂପ ନେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିୟମିତ ବୈଠକ ଜାରି ରହିଛି। ଭାରି ବର୍ଷା ପବନକୁ ଦୃଷ୍ଟିରେ ରଖି ୪ ତାରିଖ ଅପରାହ୍ନ ସୁଦ୍ଧା ଉପକୂଳର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଚା ସ୍ଥାନ ତଥା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ନିର୍ଦ୍ଦେଶ ଅନୁସାରେ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀଙ୍କ ସହ ମୋଟ ୨୨,୭୦୦ ଡଙ୍ଗା କୂଳକୁ ଫେରିଛି। ବାଲୁଗାଁ ଓ ବାଣପୁର ଅଞ୍ଚଳ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଛି। ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶର ୪୦ ଜଣ ମତ୍ସ୍ୟଜୀବୀ ବିଶାଖାପାଟନାମ ସମୁଦ୍ର ତଟକୁ ଫେରିପାରୁ ନଥିବାରୁ ସେମାନଙ୍କୁ ଗୋପାଳପୁର ବନ୍ଦରକୁ ଅଣାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ସମସ୍ତ ମତ୍ସଜୀବୀଙ୍କ ପାଇଁ ଓଡ଼ିଶା ଉପକୂଳ ଖୋଲା ବୋଲି ଶ୍ରୀ ଜେନା କହିଛନ୍ତି। ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ୨୪୭ ଦଳ ବିଭିନ୍ନ ଉପକୂଳ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ କେବଳ ୧୯ ଟିମ୍ ରିଜର୍ଭ ରଖାଯାଇଛି । ଆସନ୍ତାକାଲି ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାମ କରିବାକୁ ନିର୍ଦ୍ଦେଶ ରହିଛି।

ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ମଧ୍ୟରେ ଆଲୋଚନା ହୋଇଛି। ବାତ୍ୟା ଜୱାଦ ୪ ତାରିଖ ରାତି ପରିବର୍ତ୍ତେ ୫ ତାରିଖ ମଧ୍ୟାହ୍ନ ପରେ ସ୍ଥଳଭାଗ ଛୁଇଁବା ନେଇ ଆଇଏମ୍‌ଡି ପୂର୍ବାନୁମାନ ଜାରି କରିଛି। ମୁଖ୍ୟତଃ ବାତ୍ୟା ଓଡ଼ିଶା ଉପକୂଳ ହୋଇ ପଶ୍ଚିମବଙ୍ଗ ଯିବା ସମ୍ଭାବନା ରହିଛି। କିନ୍ତୁ ୫ ତାରିଖ ଦିନ ବାତ୍ୟାର କିଛି ଅଂଶ ପୁରୀ ଉପକୂଳ ଛୁଇଁପାରେ। ଉପକୂଳ ଛୁଇଁବା ପରେ କିଛି ସମୟରେ ଏହା ପୁଣି ସମୁଦ୍ରକୁ ଫେରିଯିବା ନେଇ ମଧ୍ୟ ଆକଳନ କରାଯାଇଛି। ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଥିାବବେଳେ ମିଶନ୍ ଜିରୋ କାଜୁଆଲିଟି ଉପରେ ଫୋକସ୍ କରାଯାଉଛି।

ବିଶୁଦ୍ଧ ପାନୀୟ ଜଳ, ଶୁଖିଲା ଖାଦ୍ୟ ସହ ଅନ୍ୟ ଆନୁସଙ୍ଗିକ ସମଗ୍ରୀ ପର୍ଯ୍ୟାପ୍ତ ମାତ୍ରାରେ ଗଚ୍ଛିତ ଥିବାବେଳେ ପ୍ରଭାବିତ ହେବାକୁ ଥିବା ସବୁ ଅଞ୍ଚଳରେ ପଞ୍ଚାୟତ ଗୃହ, ସ୍କୁଲ ଘର, ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରଖିବାକୁ କୁହାଯାଇଛି। କେହି ଚାହିଁଲେ ବାତ୍ୟାବେଳେ ସେଠାରେ ଆଶ୍ରୟ ନେଇପାରିବେ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ବି ବନ୍ୟା ଆଶଙ୍କା ନାହିଁ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା ସୂଚନା ଦେଇଛନ୍ତି। ସେପଟେ ସଚେତନ କରିବା ସତ୍ତ୍ୱେ ମଧ୍ୟ କିଛି ଅଞ୍ଚଳର ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ ଅମଙ୍ଗ ହେଉଥିବାର ଦୃଷ୍ଟାନ୍ତର ରହିଛି। ଗଞ୍ଜାମ, ପୁରୀ, ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସହ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ନିଆଳି ଅଞ୍ଚଳର କିଛି ଲୋକଙ୍କୁ ଆସନ୍ତାକାଲି ସ୍ଥାନାନ୍ତରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ଜେନା କହିଛନ୍ତି।

ସୂଚନାଥାଉ କି, ଆସନ୍ତାକାଲି ବାତ୍ୟା ଜୱାଦ ଉପକୂଳ ନିକଟତର ହେବା ପରେ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ଭାରି ବର୍ଷା ହେବ। ଏନେଇ ସମ୍ପୃକ୍ତ ଜିଲ୍ଲାକୁ ରେଡ୍ ଜୋନ୍ ଅନ୍ତଭୁକ୍ତ କରାଯାଇଛି। ସେହିପରି ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୪ ଜିଲ୍ଲା ମାଲକାନାଗିରି, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।