ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଇଲି ଘୋଘରରେ ଗତ ୨୦ ତାରିଖ ପ୍ରାଣ ହରାଇଥିବା କରନ ପଟ୍ଟନାୟକଙ୍କ ମୃତ୍ୟୁ କୌଣସି ଅଘଟଣ ନୁହେଁ ବରଂ ହତ୍ୟା ବୋଲି ତାଙ୍କ ବାପା ମା’ ଅଭିଯୋଗ କରିଛନ୍ତି। ଏହାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କରନଙ୍କ ବାପା ଦୀପକ ପଟ୍ଟନାୟକ ଏବଂ ମା’ ଜାନକୀ ପଟ୍ଟନାୟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି।
ସେମାନଙ୍କ କହିବାନୁସାରେ, କରନ ସୁନ୍ଦରଗଡ଼ ଜିଲ୍ଲାର କଳାୟୁତନ କଲେଜ ଅଫ ଆର୍ଟରେ ଯୁକ୍ତ ୩ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ। ତାଙ୍କ କଲେଜ ପକ୍ଷରୁ କୋଇଲି ଘୋଘରଠାରେ ଏକ ଭୋଜିର ଆୟୋଜନ କରାଯାଇଥିଲା। କରନ ଏହି ଭୋଜି ପାଇଁ ଇଚ୍ଛୁକ ନଥିଲେ। ତାଙ୍କୁ କଲେଜର ସିନିୟର ଛାତ୍ରମାନେ ବାଧ୍ୟ କରିଥିଲେ। ଏହାସହ କଲେଜର ପ୍ରିନ୍ସିପାଲ ମଧ୍ୟ କରନକୁ ଭୋଜି କରିବାକୁ ଛଡ଼ାଯାଉ ବୋଲି ତାଙ୍କ ବାପା ମା’ଙ୍କୁ କହିଥିଲେ। ପ୍ରିନ୍ସିପାଲଙ୍କ କଥାରେ ରାଜି ହୋଇ ବାପା ମା’ କରନକୁ ଭୋଜି କିରବାକୁ ଛାଡ଼ିଥିଲେ। ହେଲେ ୨୦ ତାରିଖ ଅପରାହ୍ଣରେ କରନ ପାଣିରେ ବୁଡ଼ିଯିବାରୁ ତାଙ୍କୁ ଟିଆରଏଲ ଡାକ୍ତରଖାନାକୁ ନିଆଯାଇଥିବା ଏକ ଅଜଣା ନମ୍ବରରୁ ମା’ଙ୍କ ନିକଟକୁ ଫୋନ ଆସିଥିଲା। ଫଳରେ କରନଙ୍କ ବାପା ମା’ ଟିଆରଏଲ ଆସି ଦେଖିଲା ବେଳକୁ ପୁଅର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବେକରେ ଦାଗ, ପାଟି ଓ ମୁହଁରୁ ରକ୍ତ ସହ ଫେଣ ବାହାରିଥିବା ବାପା ଅଭିଯୋଗ କରିଛନ୍ତି।