ଦେବଗଡ଼,ଏନ୍ଏନ୍ଏସ୍:ଜିଲ୍ଲାରେ ରକ୍ତମୁଖା ଗଜରାଜଙ୍କୁ ନିୟନ୍ତ୍ରଣ ସହ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଶତପ୍ରତିଶତ କ୍ଷତିପୂରଣ ଓ ସହରରେ ମାଙ୍କଡ଼ ଉପଦ୍ରବ ନିୟନ୍ତ୍ରଣ ଦାବୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ବିଭିନ୍ନ ସ୍ଲୋଗାନ ଦେବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ ହାତୀ ଓ ମାଙ୍କଡ଼ ଭଳି ବନ୍ୟଜନ୍ତୁଙ୍କ ଦ୍ୱାରା ଜିଲ୍ଲାବାସୀ ନିତିଦିନ ଅସୁବିଧାର ସମ୍ମୁଖୀନ ହେଉଥିବା ଉଲ୍ଲେଖ କରାଯାଇଛି। ଏଥିସହ ଯଥାଶୀଘ୍ର ଦାବୀ ପୂରଣ ନ ହେଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଲିଖିତ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଜିଲ୍ଲା ଉପସଭାପତି ସୁବାଷ ଚନ୍ଦ୍ର ଭୋଇ, ସମ୍ପାଦକ ବିନୋଦ ବିହାରୀ ନାୟକ, କ୍ଷିତୀଶ କୁମାର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର ଓ ବସନ୍ତ କୁମାର ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।