ମଝି ସମୁଦ୍ରରେ ଦୁର୍ଘଟଣା, ତେଲ ଓ କେମିକାଲ ଟ୍ୟାଙ୍କର ବୋଝେଇ ଜାହାଜ ସହ ଆଉ ଏକ ଜାହାଜର ଧକ୍କା

ରାଜକୋଟ,ଏଜେନ୍ସି: ସମୁଦ୍ରରେ ଦୁଇ ଜାହାଜ ମଧ୍ୟରେ ଧକ୍କା। ଗୁଜୁରାଟର ଓଖାଠାରୁ ୧୨ ନଟିକାଲ ମାଇଲ ସମୁଦ୍ର ଭିତରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଦୁଇଟି ପଣ୍ୟବାହୀ ଜାହାଜ ମଧ୍ୟରେ ଧକ୍କା ଲାଗିଛି। ତେବେ ଏହି ଦୁର୍ଘଟଣାରେ କେହି ମୁତାହତ ହୋଇନଥିବା ଜଣାପଡିଛି। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ତେଲ ଓ କେମିକାଲ ଟ୍ୟାଙ୍କର ବୋଝେଇ ଜାହାଜର ଲମ୍ବ ୧୮୩ ମିଟର ହେବ।

ଦୁଇ ବିପରୀତ ଦିଗରେ ଆସୁଥିବା ମାର୍ଶଲ ଦ୍ୱୀପର ଏମଭି ଆଭିଏଟର ଏବଂ ହଂଙ୍କର ଏମଭି ଆଟଲାଣ୍ଟିକ ଗ୍ରେସ୍ ମଧ୍ୟରେ ଏହି ଧକ୍କା ଲାଗିଛି। ଏମଭି ଆଟଲାଣ୍ଟିକ ଗ୍ରେସ୍‌ରେ ତୈଳ ଓ ରାସାୟନିକ କଣ୍ଟେନର ରହିଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଖା ଓ ମୁଦ୍ରାର ଦୁଇଟି ତଟରକ୍ଷୀ ବାହିନୀର ଜାହାଜ ଘଟଣାସ୍ଥଳରେ ପହଞ୍ଚିଛି।

ସେପଟେ ତଟରକ୍ଷୀ ବାହିନୀର ଏକ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ମଧ୍ୟ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଜାହାଜରୁ ତୈଳ ଲିକ ହୋଇଛି କି ନାହିଁ ତାହା ଯାଞ୍ଚ କରୁଛି। କଚ୍ଛ ଉପସାଗରୀୟ ଅଞ୍ଚଳରେ ଭିଟିଏସ୍ ଥିବା ସତ୍ତ୍ୱେ କିଭଳି ଦୁଇ ଜାହାଜ ମଧ୍ୟରେ ଏହି ଧକ୍କା ଲାଗିଲା ତାର ତଦନ୍ତ କରାଯାଉ ବୋଲି ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି।