ସ୍ମାର୍ଟ କାର୍ଡରେ ସାମିଲ ହେଲା କୋରାପୁଟ, ଉପକୃତ ହେବେ ୧୨ ଲକ୍ଷ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାରେ ବଣ୍ଟା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ। ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ୩.୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ କରାଯାଇଥିଲା। ଏହାସହ ୮୬୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ଭିସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କୋରାପୁଟ ଜିଲ୍ଲା ସଦର ମହକୁମାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ।

ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ଶିଳାନ୍ୟାସ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର ବଳକା ପଡିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହିସ୍ମାର୍ଟ କାର୍ଡ ମାଧ୍ୟମରେ ୧୫୮୯ଟି ଚିହ୍ନଟ ହୋଇଥିବା ରୋଗ ମଧ୍ୟରୁ ୪୬ଟି ରୋଗର ଚିକିତ୍ସା ସ୍ଥାନୀୟ ସରକାରୀ ଚିକିତ୍ସାଳୟ ଠାରୁ ଆରମ୍ଭ କରି କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବିନା ଖର୍ଚ୍ଚରେ ଯୋଗାଇ ଦିଆଯିବ। ୧୫୫ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବେସରକାରୀ ହସ୍ପିଟାଲରୁ ଚିକିତ୍ସା ସୁବିଧା ମିଳିବ।

ସର୍ବାଧିକ ୧୫୮୯ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସ୍ମାର୍ଟ କାର୍ଡ ବ୍ୟବହାର କରି ସରକାରଙ୍କ ଦ୍ବାରା ସ୍ଥିରୀକୃତ ବେସରକାରୀ ଚିକିତ୍ସାଳୟରେ ବିନା ଖର୍ଚ୍ଚରେ ଚିକିତ୍ସିତ ହୋଇ ପାରିବେ ବୋଲି ଡାକ୍ତର ବେଉରା ସ୍ପଷ୍ଟ କରିଛନ୍ତି। ଏଥିପାଇଁ କୋରାପୁଟ ଓ ଜୟପୁରରେ ଗୋଟିଏ ଲେଖାଏଁ ବେସରକାରୀ ହସ୍ପିଟାଲକୁ ଚୟନ କରାଯାଇଥିବା ବେଳେ ଓଡ଼ିଶାର ଆଉ କିଛି ହସ୍ପିଟାଲ ସମେତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଚାରୋଟି ବେସରକାରୀ ହସ୍ପିଟାଲକୁ ସାମିଲ କରାଯାଇଛି। ଏହି ସମସ୍ତ ବେସରକାରୀ ହସ୍ପିଟାଲରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚକୁ ସ୍ମାର୍ଟକାର୍ଡର ବ୍ୟବହାର ମାଧ୍ୟମରେ ଓଡିଶା ସରକାର ବହନ କରିବେ ବୋଲି ଡାକ୍ତର ବେଉରା ଜଣାଇଛନ୍ତି। ତେବେ, ମୋଟ ୧୨ ଲକ୍ଷ ହିତାଧିକାରୀଙ୍କୁ ଏ କାର୍ଡ ବଣ୍ଟାଯିବ।