ଆତଙ୍କବାଦ ସଂଗଠନର ଗାଇଡ ହାଜି ଆରିଫ ନିହତ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଓ ଖୁଫିଆ ଏଜେନ୍ସି ଆଇଏସଆଇ ସମେତ ଆତଙ୍କବାଦୀ ସଂଗଠନକୁ ଶକ୍ତ ଝଟକା ଲାଗିଛି। ଭାରତୀୟ ସୁରକ୍ଷାବଳ ଆତଙ୍କବାଦୀ ସଂଗଠନର ଜଣେ ବଡ଼ ଗାଇଡ ହାଜି ଆରିଫକୁ ଏଲଓସି ପାଖରେ ମାରି ଦେଇଛନ୍ତି। ହାଜି ଆରିଫ ପ୍ରଥମେ ପାକିସ୍ତାନ ସେନାରେ ଥିଲା। କିନ୍ତୁ ଆତଙ୍କବାଦୀ ସଂଗଠନ ସହ ତା’ ସମ୍ବନ୍ଧକୁ ଦୃଷ୍ଟିରେ ରଖି ପାକ ପ୍ରଶାସନ ଆରିଫକୁ ସୀମା ପାଖରେ ଜମି ଦେଇଥିଲା। ଏଥିସହିତ ଆରିଫକୁ ଧାରକୁଣ୍ଡୀ ଖୁରେଟା ସେକ୍ଟରର ଲଞ୍ଚ ପ୍ୟାଡ କମାଣ୍ଡର ଭାବେ ମଧ୍ୟ ନିଯୁକ୍ତ କରିଥିଲା।

ସୁରକ୍ଷା ଏଜେନ୍ସିର ଜଣେ ଅଧିôକାରୀ କହିଛନ୍ତି ଯେ, ଏଲଓସି ପାଖରେ ଆତଙ୍କବାଦୀଙ୍କ ଏକ ଗ୍ରୁପ ଅଣପ୍ରବେଶ କରିବା ନେଇ ଭାରତୀୟ ସୁରକ୍ଷାବଳକୁ ସୂଚନା ମିଳିଥିଲା। ଏହି ଗ୍ରୁପରେ ୩ଜଣ ଆତଙ୍କବାଦୀ ଥିବା ନେଇ ମଧ୍ୟ ଅନୁମାନ କରାଯାଉଥିଲା। ଏହା ବି ଜଣାପଡ଼ିଥିଲା କି ଲସ୍କର-ଏ-ତୈଇବା ସହ ଜଡ଼ିତ ଆତଙ୍କବାଦୀ ଥାଇପାରନ୍ତି। ସୂଚନା ଆଧାରରେ ସୁରକ୍ଷା ବଳ ଭିମ୍ବର ଗଳି ଓ ଆଖପାଖ ଅଞ୍ଚଳରେ ଘେରାବନ୍ଦୀ କରିଥିଲେ । ପରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ସୁରକ୍ଷାବଳ ହାଜି ଆରିଫକୁ ମାରି ଦେଇଥିଲା।