ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଥାଣେ କୋର୍ଟ ଜାରି କରିଥିବା ଜାମିନବିହୀନ ୱାରେଣ୍ଟକୁ ରଦ୍ଦ କରାଯାଇଛି। ପରମବୀର ସିଂହ ଯାଞ୍ଚ ପାଇଁ ହାଜର ହେବା ପରେ ମୁମ୍ବାଇର ଏକ କୋର୍ଟ ୱାରେଣ୍ଟ ରଦ୍ଦ କରିଥିବା ଜଣାପଡ଼ିଛି। ଯାଞ୍ଚରେ ଥାଣେ ପୁଲିସକୁ ସହଯୋଗ କରିବା ପାଇଁ ପରମବୀରଙ୍କୁ କୋର୍ଟ କହିଛନ୍ତି। ଏଥିସହିତ ୧୫ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଳିକା ଭରିବା ପାଇଁ ମଧ୍ୟ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ପରମବୀର ସିଂହ ପୂର୍ବରୁ ଥାଣେ ଜିଲ୍ଲାରେ ଦାୟର ହୋଇଥିବା ଟଙ୍କା ଆଦାୟର ଏକ ମାମଲାର ଯାଞ୍ଚ ପାଇଁ ପୁଲିସ ସମ୍ମୁଖରେ ହାଜର ହୋଇଥିଲେ। ଥାଣେ ପୁଲିସ ଚଳିତ ବର୍ଷ ଜୁଲାଇ ମାସରେ ବିଲଡର କେତନ ତନ୍ନାଙ୍କ ଅଭିଯୋଗ ଆଧାରରେ ପରମବୀର ସିଂହ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ଦାୟର କରିଥିଲେ।