ବର୍ଦ୍ଧିତ ପେନସନ ଦାବି କଲେ ରାଜ୍ୟ ପରିବହନ ନିଗମର ଅବସରପ୍ରାପ୍ତ କର୍ମଚାରୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ରାଜ୍ୟ ପରିବହନ ନିଗମର ଅବସରପ୍ରାପ୍ତ କର୍ମଚାରୀମାନେ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ପରିବହନ ନିଗମ ଦେବଗଡ଼ ୟୁନିଟର ଅବସରପ୍ରାପ୍ତ କର୍ମଚାରୀ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ଦାବୀପତ୍ରରେ ଅବସରପ୍ରାପ୍ତ କର୍ମଚାରୀମାନେ ସର୍ବନିମ୍ନ ୩୦୦ ଟଙ୍କାରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଉଥିବାବେଳେ ଆଜିର ମହଙ୍ଗା ଦୁନିଆରେ ସେମାନେ ପାଉଥିବା ଟଙ୍କାରେ ଚଳିବା ଅସମ୍ଭବ ହେଉଥିବା ଦର୍ଶାଇଛନ୍ତି। ତେଣୁ ସେମାନଙ୍କୁ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ପ୍ରଦାନ ସହ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ପାଇଁ ଦାବୀ କରିଛନ୍ତି।