ନୂଆଦିଲ୍ଲୀ: ଏକଦା ଝିଅ ଅଭାବର ସମସ୍ୟା ଦେଇ ଗତି କରୁଥିବା ଭାରତ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦେଶରେ ପ୍ରଥମଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ଏବେ ପ୍ରତ୍ୟେକ ୧୦୦୦ ପୁରୁଷରେ ୧୦୨୦ଜଣ ମହିଳା ରହିଛନ୍ତି। କେବଳ ଏତିକି ନୁହେଁ, ଦେଶରେ ପ୍ରଜନନ ହାର ମଧ୍ୟ କମିଛି। ନ୍ୟାସନାଲ ଫ୍ୟାମେଲି ହେଲଥ ସର୍ଭେ-୫ର ଆକଳନରୁ ଏହା ଜଣାପଡ଼ିଛି। ଏହାପୂର୍ବରୁ ୨୦୧୫-୧୬ରେ ହୋଇଥିବା ଆକଳନରେ ୧୦୦୦ ପୁରୁଷରେ ୯୯୧ ମହିଳା ରହିଥିଲେ।
ନ୍ୟାସନାଲ ଫେମେଲି ହେଲଥର ସର୍ଭେ ଅନୁସାରେ, ଗାଁରେ ୧୦୦୦ ପୁରୁଷରେ ୧୦୩୭ ମହିଳା ରହିଥିବାବେଳେ ସହରରେ ୯୮୫ଜଣ ମହିଳା ରହିଛନ୍ତି। ଦେଶର ୨୩ଟି ରାଜ୍ୟରେ ପ୍ରତି ୧୦୦୦ ପୁରୁଷରେ ୧୦୦୦ ମହିଳା ରହିଛନ୍ତି। ଉତ୍ତରପ୍ରଦେଶରେ ୧୦୦୦ ପୁରୁଷରେ ୧୦୧୭, ବିହାରରେ ୧୦୯୦, ଦିଲ୍ଲୀରେ ୯୧୩, ମଧ୍ୟପ୍ରଦେଶରେ ୯୭୦, ରାଜସ୍ଥାନରେ ୧୦୦୯, ଛତିଶଗଡ଼ରେ ୧୦୧୫, ମହାରାଷ୍ଟ୍ରରେ ୯୬୬, ପଞ୍ଜାବରେ ୯୩୮, ହରିୟାଣାରେ ୯୨୬ ଓ ଝାଡ଼ଖଣ୍ଡରେ ୧୦୫୦ଜଣ ମହିଳା ରହିଥିବା ଜଣାପଡ଼ିଛି।