ଉଡ଼ାଣ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆଜି ଉଡ଼ାଣ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟଅତିଥି ରୂପେ ଯୋଗଦେଇ ଓଡ଼ିଆ ଭାଷାରେ ନିଜ ଅଭଭାଷଣ ଆରମ୍ଭ କରି ଝାରସୁଗୁଡ଼ା ତଥା ଓଡ଼ିଶା କ୍ରାନ୍ତିକାରୀଙ୍କ ମାଟି ବୋଲି ସମ୍ବର୍ଦ୍ଧିତ କରିଛନ୍ତି । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଫେଜ-୨ ଉନ୍ନତିକରଣ କାର୍ଯ୍ୟ ପାଇଁ ୧୮୦ ଏକରର ଜମି ଆବଶ୍ୟକ ରହିଛି। ରାଜ୍ୟ ସରକାର ଏହାକୁ ଯୋଗାଇଦେଲେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଲୋକେ କିପରି ସୁଲଭ ବିମାନ ଯୋଗେ ଗମନାଗମନର ସୁବିଧା ପାଇପାରିବେ ସେଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସିନ୍ଧିଆ କହିଛନ୍ତି। ଏହାସହ କୃଷି ଉଡ଼ାଣ ପ୍ରତି ଧ୍ୟାନ ଦେଇ ଚାଷୀଟିଏ ନିଜର ଉତ୍ପାଦିତ ସାମଗ୍ରୀକୁ ଦେଶ ବିଦେଶରେ କିପରି ବିକ୍ରି କରିପାରିବ ସେଥିପ୍ରତି ୮ଟି ମନ୍ତ୍ରଣାଳୟ ମିଶି ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ସିନ୍ଧିଆ ପ୍ରକାଶ କରିଛନ୍ତି।

ସେହିପରି ଉଡ଼ାଣ ଦିବସ ପାଳନ ଅବସରରେ ମନ୍ତ୍ରଣାଳୟ ପକ୍ଷରୁ ଝାରସୁଗୁଡ଼ା ବିମାନବନ୍ଦର ପରିସରରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମରେ ଝାରସୁଗୁଡ଼ା ମାଟିର ଅବଦାନକୁ ନେଇ ସ୍ଥାନୀୟ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଫଟୋଚିତ୍ର, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଝାରସୁଗୁଡ଼ାରୁ ଚଳାଚଳ କରିଥିବା ବିମାନର ଚିତ୍ର, ସମ୍ବଲପୁରୀ ବସ୍ତ୍ର ତଥା ବାନ୍ଧକଳା ଆଦି ଏହି ପ୍ରଦାର୍ଶନୀରେ ସ୍ଥାନ ପାଇଥିଲା। ଏହି ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ଉଦଘାଟନ କରିବା ସହ ଅତିଥିଙ୍କ ଗହଣରେ ବୁଲି ଦେଖିଥିଲେ । ଅନ୍ୟପଟେ ଉଡ଼ାଣ ଯୋଜନାରେ ଭିଡ଼ିଓ କନଫ୍ରେନ୍ସିଂ ମାଧ୍ୟମରେ ଗୌହଟି ଓ ସିଲଂରୁ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏତଦବ୍ୟତୀତ ଉଡ଼ାଣ ଯୋଜନା ଉପରେ ଏକ ସଂକ୍ଷିପ୍ତ ଫିଲ୍ମ ପ୍ରଦର୍ଶିତ ହେବାସହ ଏହାର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଆକଳନ ରିପୋର୍ଟ ସଭାରେ ଉପସ୍ଥାପିତ କରଯାଇଥିଲା । ଆଉ ୨୬ଜଣ ଅନାଥ, ୪ଜଣ ଦିବ୍ୟାଙ୍ଗ, ୨୦ଜଣ ବୟସ୍କ ନାଗରିକଙ୍କୁ ବିମାନ ଯାତ୍ରା କରାଯାଇଥିବା ଜଣାପଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ବିଭାଗର ସଚିବ ରାଜୀବ ବଂଶଲ, ଯୁଗ୍ମ ସଚିବ ଉଷା ପାଢ଼ୀ, ଭାରତୀୟ ବିମାନସେବା ପ୍ରାଧୀକରଣର ଅଧ୍ୟକ୍ଷ ସଞ୍ଜୀବ କୁମାର, ଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଜୁଏଲ ଓରାମ ଓ କୁସୁମ ଟେଟେ ପ୍ରମୁଖଙ୍କ ସହ ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।