ଦେଢ଼ କୋଟି ମୂଲ୍ୟର କୋବ୍ରା ଭେନାମ ଜବତ, ୨ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଦେଢ଼ କୋଟି ମୂଲ୍ୟର କୋବ୍ରା ଭେନାମ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ସମ୍ବଲପୁର ସଦର ଥାନାଞ୍ଚଳ ସିନ୍ଦୁରପଙ୍କ ଗ୍ରାମର କୈଳାସ ସାହୁ ଓ ଧନୁପାଲି ଥାନାଞ୍ଚଳ ସାକ୍ଷୀପଡ଼ା ଅଞ୍ଚଳର ରଞ୍ଜନ କୁୁମାର ପାଢ଼ୀ। ମିଳିଥିବା ରିପୋର୍ଟ ମୁତାବକ, ସମ୍ବଲପୁର ଜିଲ୍ଲା ପଟୁ ଦେବଗଡ଼ ଜିଲ୍ଲାର ଜଣେ ବେପାରୀଙ୍କ ସହାୟତାରେ ବେଆଇନ ସାପ ବିଷ କାରବାର ହେଉଥିବା ସୂଚନା ପାଇ ଦେବଗଡ଼ ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲା। ସୂଚନା ଆଧାରରେ ସ୍ପେଶାଲ ସ୍କ୍ୱାର୍ଡ ଗ୍ରାହକ ବେଶରେ ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଅଞ୍ଚଳରେ ପହଞ୍ଚିଥିଲା। ସେଠାରେ ଅଭିଯୁକ୍ତଦ୍ୱୟ ଏକ କାଚ ପାତ୍ରରେ ଏକ କିଲୋ ଓଜନର କୋବ୍ରା ଭେନାମ ଦେଖାଇବା ସହ ଗ୍ରାହକ ବେଶରେ ଥିବା ସ୍ପେଶାଲ ସ୍କ୍ୱାର୍ଡଙ୍କଠାରୁ ଦେଢ଼ କୋଟି ଟଙ୍କା ଦାବୀ କରିଥିଲେ। ପରେ ଛଦ୍ମ ବେଶରେ ଥିବା ସ୍ପେଶାଲ ସ୍କ୍ୱାର୍ଡ ଉଭୟଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ କେଜି ଓଜନର ଥିବା ସ୍ନେକ ଭେନାମ ଓ ୨ଟି ମୋବାଇଲ ଫୋନ ଜବତ କରିବା ସହ ପଚରାଉଚୁରା ପରେ ଆଜି ଗିରଫ କରିଛି। ସେହିପରି ସେମାନଙ୍କ ବିରୁଦ୍ଧରେ ରିଆମାଳ ଥାନାରେ ଠକେଇ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରିଆମାଳ ଥାନାଧିକାରୀ ଗୋପବନ୍ଧୁ ବେହେରା ପ୍ରକାଶ କରିଛନ୍ତି।