ବଡ଼ ଓଷାରେ ବଡ଼ ସିଂହାର ବେଶରେ ସଜିତ ହୋଇଛନ୍ତି ବାବା ଧବଳେଶ୍ବର, ପୀଠରେ ୧୪୪ ଧାରା

ଆଠଗଡ଼,ଏନ୍ଏନ୍ଏସ୍: ବାବା ଧବଳେଶ୍ୱରଙ୍କ ପୀଠରେ ବଡଓଷା ପାଳନ କରାଯାଉଛି। ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ କରାଯାଇଛି। କୋଭିଡ କଟକଣା ପାଇଁ ଏହି ଦେବ ଦୁର୍ଲ୍ଲଭ ବେଶକୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ।

କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପଞ୍ଚୁକ ସମେତ ବଡ଼ଓଷା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ପୀଠରେ କଟକଣା ଲାଗିଛି। ଶ୍ରଦ୍ଧାଳୁ ଏବଂ ହବିଶ୍ୟାଳୀଙ୍କୁ ପୀଠକୁ ଆସିବାକୁ ବାରଣ କରାଯାଇଛି। କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ସମ୍ପନ୍ନ କରାଯାଇଛି। ଆଜି ରାତ୍ରି ୪ ଟାରୁ ପହଡ ଖୋଲାଯାଇ ୧୦୮ ପବିତ୍ର ପଞ୍ଚାମୃତ ଜଳରେ ବାବା ଧବଳେଶ୍ୱରଙ୍କ ସ୍ନାନ କରାଯାଇଥିଲା। ମଙ୍ଗଳ ଆଳତୀ ସକାଳ ଧୂପ ଆଦି ସମସ୍ତ ରୀତିକାନ୍ତି ପୂଜକ ସମିତି ପକ୍ଷରୁ ସମ୍ପନ୍ନ କରାଯାଇଛି।

ଅନ୍ୟପଟେ ତ୍ରୟୋଦଶୀ ଓ ଚର୍ତୁଃଦଶୀର ଶନ୍ଧିକ୍ଷଣରେ ବାବା ଧବଳେଶ୍ବରଙ୍କୁ ଗଜଭୋଗ ଲାଗି କରାଯିବ। ସେଥିପାଇଁ ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ କରୋନା କଟକଣା ପାଇଁ ଧବଳେଶ୍ବର ପୀଠରେ ବିନା ଭକ୍ତରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।