ଜଗତସିଂହପୁର,ଏନ୍ଏନ୍ଏସ୍: ବରିଷ୍ଠ ନେତା ଉମେଶ ସ୍ୱାଇଁଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ଦେହାନ୍ତ ହୋଇଯାଇଛି। ଜଗତସିଂହପୁର-ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।
ଖବର ଅନୁଯାୟୀ, ଉମେଶ ସ୍ୱାଇଁ ବାଲିକୁଦା ନିର୍ବାଚନ ମଣ୍ଡଳିରୁ ୪ ଥର ବିଧାୟକ ଭାବେ ଜିତିଥିଲେ। ପ୍ରଥମେ ୧୯୭୭ରୁ ୧୯୮୦, ୧୯୯୦ରୁ ୧୯୯୫, ୨୦୦୦ରୁ ୨୦୦୫ ଓ ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଉମେଶ। ନିଜ କାର୍ଯ୍ୟକାଳ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ଲୋକଙ୍କ ଗହଣରେ ବେଶ୍ ପରିଚିତ ହୋଇଥିଲେ।
ଜଗତସିଂହପୁର ମାଛଗାଁ ଠାରେ ଜନ୍ମ ଗ୍ରହଣ କରିଥିବା ଉମେଶ ସ୍ୱାଇଁ ସାରା ଜିଲ୍ଲାରେ ଜଣେ ବେଶ୍ ଲୋକପ୍ରିୟ ରାଜନେତା ଭାବରେ ପରିଚିତ ଥିଲେ। ତାଙ୍କର ବିୟୋଗରେ ସାରା ଜଗତସିଂହପୁର ଜିଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର ମର ଶରୀର ଜନ୍ମ ମାଟି ମାଛଗାଁକୁ ଅଣାଯିବା ପରେ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବ।