ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବନ୍ଧବାହାଲ ମହାଦେବ ପଡ଼ାର ୨ ପରିବାର ମଧ୍ୟରେ ଆଜି ସକାଳେ ମାରପିଟ ହେବାରୁ ୫ ଜଣ ଆହତ ହୋଇଛନ୍ତି। ଏହାସହ ଉଭୟ ପରିବାର ବନହରପାଲି ଥାନାରେ ପୃଥକ ପୃଥକ ଭାବରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମହାଦେବ ପଡାରେ ରହୁଥିବା ବଟକୃଷ୍ଣ ବେହେରା, ସୁରେଶ ବେହେରାଙ୍କ ପରିବାର ଓ କାଳୁଚରଣ ଜେନା, ଶିବ ଜେନା ଓ ସୁଦେସ୍ନା ଜେନାଙ୍କ ପରିବାର ମଧ୍ୟରେ ଆଜି ସକାଳେ ଝଗଡ଼ା ହୋଇଥିଲା।
ଝଗଡା ମାରପିଟରେ ପରିବର୍ତ୍ତନ ହେବାରୁ ସମସ୍ତେ ଆହତ ହୋଇଛନ୍ତି। ଏହାସହ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବଟକୃଷ୍ଣଙ୍କ ଅଭିଯୋଗ ଅନୁଯାୟୀ, ସେ ଏବଂ ତାଙ୍କ ଭାଇ ସୁରେଶ ମହାଦେବ ପଡ଼ାରେ ଥିବା ତାଙ୍କ ବଗିଚାକୁ ଯାଇଥିବାବେଳେ ପଛପଟୁ କାଳୁଚରଣ, ଶିବ ଓ ସୁଦେସ୍ନା ଆସି ଲୁହା, ଠୋଙ୍ଗା ଓ ଇଟାରେ ଆକ୍ରମଣ କରିଥିଲେ। ଅନ୍ୟପଟେ ସୁଦେସ୍ନାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଶିବରାମ ଜେନା ଏବଂ ପୁଅ କାଳୁଚରଣ ଜେନା ବିଲରେ କାମ କରୁଥିବାବେଳେ ବଟକୃଷ୍ଣ ଏବଂ ତାଙ୍କ ଭାଇ ସୁରେଶ ଆସି ସେମାନଙ୍କୁ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ।
ଏହାଦେଖି ସୁଦେସ୍ନା ମନା କରିବାରୁ ବଟ କୃଷ୍ଣ ଓ ସୁରେଶ ତାଙ୍କୁ ମଧ୍ୟ ମାଡ ମାରିବା ସହ ଲୁଗା ଟଣା ଓଟରା କରି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସୁଦେସ୍ନା ଏନେଇ ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ଅଭିଯୋଗକୁ ଭିତ୍ତି କରି ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।