ଏସଆରସି ନେବେ ବାଣ ବିକ୍ରି ଓ ବାଣ ଫୁଟା ଉପରେ ନିଷ୍ପତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ ? ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ସ୍ୱତନ୍ତ୍ର ରିଲିଫ୍‌ କମିସନର ଏନେଇ ନେବେ ନିଷ୍ପତ୍ତି। ଆସନ୍ତାକାଲି ପୂର୍ବାହ୍ଣରେ ଶୁଣାଣି କରିବେ ଏସ୍‌ଆରସି। ହାଇକୋର୍ଟରେ ଗ୍ରୀନ କ୍ରାକର ବା ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦେବାକୁ ଆବେଦନ ହୋଇଛି। ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ନିଷ୍ପତ୍ତି ନେବେ ଏସଆରସି।

ସୋମବାର ସୁଦ୍ଧା ହାଇକୋର୍ଟଙ୍କୁ ଅବଗତ କରାଇବେ। ସୋମବାର ଅପରାହ୍‌ଣରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ଆଜି ହାଇକୋର୍ଟରେ ଡେପୁଟି ଚିଫ୍‌ କଣ୍ଟ୍ରୋଲର ଅଫ ଏକ୍ସପ୍ଲୋସିଭଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଅଳ୍ପ ଶବ୍ଦ ହେଉଥିବା ବାଣ ପାଇଁ ସୁପ୍ରିମକୋର୍ଟ ଓ ଗ୍ରୀନ ଟ୍ରିବୁନାଲଙ୍କ ନିଷ୍ପତ୍ତିକୁ ପାଥେୟ କରି ଅନୁମତି ଦିଆଯାଇ ପାରିବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିସନରେଟ ପୁଲିସକୁ ପକ୍ଷ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ମାମଲାରେ ୭ ଜଣ ପକ୍ଷଭୁକ୍ତ ହୋଇଛନ୍ତି।

ଅଲ୍‌ ଓଡ଼ିଶା ଫାୟାର ଓ୍ଵାର୍କସ ଡିଲର୍ସ ଆସୋସିଏସନ୍‌ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ ରହିଛି, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି। ଏଥିପାଇଁ ସରକାର ସାମାଜିକ କାର୍ଯ୍ୟ ପାଇଁ କଟକଣା କୋହଳ କରିଛନ୍ତି। ଯଦି ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଦ୍ୱାରା ଛୋଟ ବଡ଼ ବ୍ୟବସାୟୀ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବେ। ଏଥିପାଇଁ ସବୁଜ ବାଣ ବିକ୍ରିକୁ ଅନୁମତି ଦେବାକୁ ଆବେଦନରେ ଦର୍ଶାଯାଇଛି। ଗତ ସେପ୍ଟେମ୍ବର ୩୦ରେ ସରକାର ନୂଆ ନିୟମାବଳୀ ଜାରି କରି ଚଳିତ ବର୍ଷ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଥିଲେ।