ମୃତ ସାମ୍ବାଦିକଙ୍କ ପରିବାରକୁ ସରକାରୀ କୋଭିଡ ଅନୁଦାନ ରାଶି ପ୍ରଦାନ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ଏକ ୱେବ ପୋର୍ଟାଲରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସୁବାଷ ସାହାରେଙ୍କ ପରିବାରକୁ ସରକାରୀ କୋଭିଡ ଅନୁଦାନ ରାଶି ପ୍ରଦାନ କରିବା ପାଇଁ ଦାବି ହୋଇଛି। ଏଥିପାଇଁ ଆଜି ସ୍ୱର୍ଗତ ସୁବାଷ ସାହାରେଙ୍କ ପତ୍ନୀ ଗୀତା ସାହାରେ, ଝାରସୁଗୁଡ଼ା ପ୍ରେସ କ୍ଲବର ସଭାପତି ସନ୍ତୋଷ ମିଶ୍ର ଓ ସ୍ଥାନୀୟ ସମାଜସେବୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ କହିବାନୁସାରେ, ଗତ ଏପ୍ରିଲ ୨୪ ତାରିଖରେ ସୁବାଷଙ୍କୁ ଥଣ୍ଡା, କାଶ ହେବାରୁ ସେ ଆଣ୍ଟିଜେନ ଟେଷ୍ଟ କରାଇଥିଲେ। ହେଲେ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ପରେ ସୁବାଷଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରିବାର ଲୋକେ ଗତ ଏପ୍ରିଲ ୨୫ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସୁବାଷଙ୍କ ସ୍ୱାସ୍ଥ୍ୟବସ୍ଥା ନ ସୁଧୁରିବାରୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ସିଟି ସ୍କାନ କରାଇଥିଲେ। ସିଟି ସ୍କାନ ପରେ ସୁବାଷ କରୋନାରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କୁ ସିଟିସ୍କାନ ରିପୋର୍ଟ ଦେଖାଇ ସୁବାଷଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଥିଲେ। ହେଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତୃପକ୍ଷ ସୁବାଷଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିନଥିଲେ। ଫଳରେ ଉପଯୁକ୍ତ ଚିକିତ୍ସା ନପାଇ କୋଭିଡରେ ସାମ୍ବାଦିକ ସୁବାଷ ଗତ ଏପ୍ରିଲ ୨୮ ତାରିଖରେ ପ୍ରାଣ ହରାଇଥିଲେ। ସୁବାଷଙ୍କ ମୃତହେଦକୁ ଘରକୁ ଆଣାଯାଇଥିଲେ ହେଁ କିଛି ସମୟ ପରେ କୋଭିଡ ମାଜିଷ୍ଟ୍ରେଟ, ଉପଜିଲ୍ଲାପାଳ ଓ ପୁଲିସ ଦଳ ଆସି ସୁବାଷଙ୍କ ମୃତଦେହକୁ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଏଚ କଣ୍ଟାପାଲିସ୍ଥିତ କୋଭିଡ ମୃତଦେହ ପୋଡ଼ା ଯାଉଥିବା ସ୍ଥାନରେ ସତ୍କାର କରିଥିଲେ। ଏଥିରୁ ସୁବାଷ କରୋନାରେ ପ୍ରାଣ ହରାଇଥିବା ସ୍ପଷ୍ଟ ହେଉଛି। ତେଣୁ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ଦିଆଯାଉଥିବା କୋଭିଡ ସହାୟତା ରାଶି ସୁବାଷଙ୍କ ପରିବାରକୁ ମଧ୍ୟ ପ୍ରଦାନ କରାଯାଉ ବୋଲି ସୁବାଷଙ୍କ ପତ୍ନୀ ଗୀତା ସାହାରେ ଦାବି କରିଛନ୍ତି।