ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜ ସର୍ଭିସ୍ ରାଇଫଲରୁ ଅଚାନକ ଗୁଳି ବାଜିବାରୁ ଜଣେ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ ଯେ, ୨୨୯ ବାଟାଲିୟନର ଦୁଇ ଜଣ ସିଆରପିଏଫ ଯବାନ ତ୍ରିଲୋକ ସିଂ ଓ ରାଜେନ୍ଦ୍ର ସିଂ ଛୁଟି ନେଇ ନିଜ ଘରକୁ ଯାଉଥିଲେ। ଅସୁର ସିଆରପିଏଫ୍ କ୍ୟାମ୍ପ୍ ନିକଟରୁ ଏକ ଘରୋଇ ବସରେ ବିଜାପୁର ଯାଇଥିବା ସମୟରେ ଆବାପାଲି ଗାଁ ନିକଟରେ ହଠାତ ତ୍ରିଲୋକ ସିଂଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା।
ଫଳରେ ବସ୍ ଭିତରେ ହିଁ ଯବାନ ତ୍ରିଲୋକ ସିଂ ପ୍ରାଣ ହରାଇଥିବା ବେଳେ ତାଙ୍କ ସାଥିରେ ଥିବା ଅନ୍ୟ ଯବାନ ରାଜେନ୍ଦ୍ର ସିଂ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବିଜାପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିଜାପୁର ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଯବାନମାନେ ନିଜ ହାତରେ ବନ୍ଧୁକ ଧରି ଯାଇଥିଲେ। ତେବେ ଏହା ଏକ ଆକ୍ସିଡେଣ୍ଟାଲ ଫାୟାର ବୋଲି ବିଜାପୁର ଅତିରିକ୍ତ ଏସପି ପଙ୍କଜ ଶୁକ୍ଲା କହିଛନ୍ତି।