ବିରିଡି କିଟ ଆକ୍ରମଣରେ ଗୁରୁତର ମହିଳାଙ୍କ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମର ଜଣେ ମହିଳାଙ୍କ ବିରିଡି କିଟ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର କୁଶପଙ୍ଗା ଗ୍ରାମର ଭରତ ବଣିଚୁଳ ଓ ତାଙ୍କ ସ୍ତ୍ରୀ ପ୍ରେମ ବଣିଚୁଳ (୪୬) ଗ୍ରାମ ନିକଟସ୍ଥ କଦଳିପାଳ ରାସ୍ତା କଡରେ ଥିବା ଷଣ୍ଢଭୂଇଁ ବୁଦା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବିରୁଡି କିଟ ଦଳ ହଠାତ ଆକ୍ରମଣ କରିଥିଲେ। ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇ ଗ୍ରାମବାସୀଙ୍କ ସହାୟତାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରେମଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥି ସହ ମୃତ ଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।