ପାଣିମୋଟର ଚୋରି ଅଭିଯୋଗ ଆଣିଲେ ଲ୍ୟାମ୍ପସ୍ ଏମଡି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ନନ୍ଦପୁର ଲ୍ୟାମ୍ପସ୍ ପରିସରରେ ଥିବା ବୋରୱେଲର ପାଣି ମୋଟର ଚୋରି ହୋଇଥିବା ନନ୍ଦପୁର ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ପଣ୍ଡା ନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ପାଣି ଉଠାଇବାକୁ ବାରମ୍ବାର ମୋଟର ସୁଇଚ୍ ଟିପିବା ପରେ ମଧ୍ୟ ପାଣି ଆସିନଥିଲା। ମୋଟର ଖରାପ ହୋଇଥିବ ଭାବି ସେ ସ୍ଥାନୀୟ ମେକାନିକକୁ ଡକାଇ ମୋଟର ଖୋଲିବାକୁ କହିଥିଲେ। ବିଦୁତ୍ ସଂଯୋଗ କାଟି ମେକାନିକ୍ ଜଣକ ମୋଟର ବାହାରକୁ ଆଣି ଦେଖିଲା ବେଳକୁ ବୋରୱେଲ୍ ଭିତରେ ମୋଟର ନଥିବା ଜଣା ପଡ଼ିଥିଲା। କେହି ଦୁର୍ବୁତ ରାତିରେ ପାଣି ମୋଟର ଚୋରି କରି ନେଇଥିବା ଜାଣିପାରି ଲ୍ୟାମ୍ପସ୍ ଏମଡି ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।