ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୧ ପାରିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଧେୟକ, ୨୦୨୧ ଆଜି ବିଧାନସଭାରେ ପାରିତ ହୋଇଅଛି। ଏହି ବିଲ୍‌ ଆଗତ ଦ୍ୱାରା କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି, ଭୁବନେଶ୍ୱର ଏକ ରାଜ୍ୟ ଏକକ ବିଶ୍ୱବିଦ୍ୟାଳୟ ରୂପେ ପରିଗଣିତ ହେବ। ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ନାମିତ ହେବ। ଉକ୍ତ ବିଶ୍ୱବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟଗୁଡିକ ହେଉଛି –

• ଜ୍ଞାନର ବିକାଶ ଓ ସମାଜର ଉନ୍ନତି ସାଧନ ନିମନ୍ତେ ଯାନ୍ତ୍ରିକ ବିଦ୍ୟା, ପ୍ରଯୁକ୍ତି ବିଦ୍ୟା ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ଓ ତାହାର ପ୍ରୟୋଗ, ସ୍ଥପିତ ବିଦ୍ୟା, ଯୋଜନା, ମ୍ୟାନେଜମେଣ୍ଟ ଓ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ତାଲିମକୁ ବିକଶିତ କରିବା।
• ଗୋଟିଏ ପକ୍ଷରେ ଶୈକ୍ଷିକ ଓ ଗବେଷକ ଗୋଷ୍ଠୀ ଓ ଅନ୍ୟ ପକ୍ଷରେ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମ୍ପର୍କ ବୃଦ୍ଧି କରିବା ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବା
• ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଅତ୍ୟାଧୁନିକ ବିକାଶ ସମ୍ପର୍କରେ ଅବଗତ ହେବା ଲକ୍ଷ୍ୟରେ ଭାରତର ତଥା ବିଦେଶର ଖ୍ୟାତିସମ୍ପନ୍ନ ଅନୁଷ୍ଠାନଗୁଡିକ ସହ ଆଦାନପ୍ରଦାନ କାର୍ଯ୍ୟକ୍ରମ ସଂଗଠିତ କରିବା।
• ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କର ଗବେଷଣା ଓ ପ୍ରକଳ୍ପ କାର୍ଯ୍ୟକୁ ଉତ୍ସାହିତ ଓ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ଗବେଷଣା ପାଣ୍ଠି ସୃଷ୍ଟି କରିବା ଓ ତାହାକୁ ଆଗକୁ ନେବା।
• ଗବେଷଣା ପ୍ରକଳ୍ପଗୁଡ଼ିକ ନିମନ୍ତେ ପ୍ରାୟୋଜକ ହାସଲ କରିବାକୁ ଏବଂ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଅଂଶଗ୍ରହଣକାରୀ ଗବେଷକମାନେ ଯେପରି ସଫଳ ରହିବେ, ସେଥି ସକାଶେ ଗବେଷକମାନଙ୍କ ନିମନ୍ତେ ଏକ ସକ୍ଷମ ଢାଞ୍ଚା ପ୍ରସ୍ତୁତ କରିବା।
• ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ଉପଲବ୍ଧ ଗବେଷଣାର ସୁଯୋଗ ଓ ପାଣ୍ଠି ବ୍ୟବସ୍ଥାର ପରିସରକୁ ବୃଦ୍ଧି କରିବା ନିମନ୍ତେ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରର ଗବେଷଣା ସଂଗଠନଗୁଡିକ ସହିତ ସଂପର୍କ ସ୍ଥାପନ କରିବା ତଥା ଦୀର୍ଘକାଳିନ ବୁଝାମଣାପତ୍ର (ଏମଓୟୁ) କରିବା।
• ଶିଳ୍ପ ସଂକ୍ରାନ୍ତ ପରାମର୍ଶ ସେବା ଯୋଗାଇ ଦେବା; ତଥା
• ଶିଳ୍ପ ସଂସ୍ଥାଗୁଡ଼ିକର ଦକ୍ଷତା ସଂପନ୍ନ ବ୍ୟକ୍ତିମାନଙ୍କ ଆବଶ୍ୟକତା ପୂରଣ କରିବା ନିମନ୍ତେ ସେଥୁରେ ନିୟୋଜନ ପାଇଁ ଦକ୍ଷତା ବୃଦ୍ଧି ତଥା ଔଦ୍ୟୋଗିକ ତାଲିମ ପାଇଁ ସହାୟତା ଯୋଗାଇ ଦେବା।

ଏହା ବିଶ୍ୱବିଦ୍ୟାଳୟ ନୂତନ ପିଢି ପାଇଁ ଶିଳ୍ପ ଅଭିମୁଖୀ ଓ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ କର୍ମନିୟୋଜନ ଉପଯୋଗୀ ପାଠ୍ୟକ୍ରମ ଆରମ୍ଭ କରିବାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ।