କୋରାପୁଟ,ଏନ୍ଏନ୍ଏସ୍: ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯୪ ଲିଟର ରନ୍ଧା ଦେଶୀ ମଦ ଜବତ କରିଥିବାବେଳେ ୨ଜଣ ମହିଳାଙ୍କ ସହ ୫ଜଣକୁ ଗିରଫ କରିଛି। କୋରାପୁଟ ସଦର ଥାନା ବଡ଼ନାୟକଗୁଡ଼ା ଏବଂ ଘାଟଗୁମର ଛକରେ ବ୍ୟାପକ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ସେହି ଅଞ୍ଚଳରେ ଚଢ଼ଉ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆଙ୍କ ତତ୍ୱାବଧାନରେ ସଦର ଓଆଇସି ଦିଲ୍ଲୀପ କୁମାର ରଥ ଓ ଅନ୍ୟମାନେ ଚଢ଼ଉ କରି ୪୪ ଲିଟର ଦେଶୀ ମଦ ଜବତ କରିଥିଲେ। ଘଟଣାରେ ଅବକାରୀ ପୁଲିସ ଘାଟଗୁମର ଛକର ପାନ ପାଙ୍ଗୀ, ବଡ଼ନାୟକଗୁଡ଼ା ଗ୍ରାମର ଭଗବାନ ଖୋସ୍ଲା ଓ ବଳରାମ ଖୀଲକୁ ଗିରଫ କରିଥିଲେ। ଚଢ଼ଉରେ ଅବକାରୀ ଏଏସଆଇ ଅରପଲୋକ ଦାଶ, କନେଷ୍ଟବଳ ତ୍ରିଲୋଚନ ରାୟଚେଟ୍ଟୀ, ସବିତା ପୁଜାରୀ ଓ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ। ଅବକାରୀ ସଦର ଥାନାରେ ଓଆଇସି ଦିଲ୍ଲୀପ କୁମାର ରଥ ୩ଟି ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ସିଆରପିସି ୪୧ରେ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି।
ସେହିପରି ଜୟପୁର ସଦର ଅବକାରୀ ଓଆଇସି ସଂଜୟ କୁମାର କାଣ୍ଡିଙ୍କ ନେତୃତ୍ୱରେ ଗଠିତ ଟିମ୍ ଜୟପୁର ସଦର ଥାନାର କୁମୁଲିପୁଟ ଏବଂ ଜୟପୁର ଟାଉନ ଥାନା ଅଧୀନ ଗୋଡ଼ିଆ ଧୋବାସାହିରେ ଚଢ଼ଉ କରି ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବାବେଳେ ଜଣେ ମହିଳାଙ୍କ ସମେତ ୨ଜଣକୁ ଗିରଫ କରିଥିବା ସୂଚନା ମିଳିଛି। କୁମୁଲିପୁଟରେ ଚୋରା ମଦ କାରବାର ଅଭିଯୋଗରେ ଧନଞ୍ଜୟ ଜାନୀ ନାମକ ଜଣେ ଯୁବକକୁ ଗିରଫ କରିବା ସହ ତା’ଠାରୁ ୩୦ ଲିଟର ଦେଶୀ ମଦ ଜବତ କରାଯାଇଥିବାବେଳେ ଗୋଡ଼ିଆ ଧୋବାସାହିର କାଞ୍ଚନ ସଗରିଆକୁ ଗିରଫ କରାଯାଇ ତା’ ନିକଟରୁ ୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜୟପୁର ସଦର ଅବକାରୀ ଓଆଇସି ଶ୍ରୀ କାଣ୍ଡି ସୂଚନା ଦେଇଛନ୍ତି। ଉଭୟଙ୍କ ବିରୁଦ୍ଧରେ ୨ଟି ମାମଲା ରୁଜୁ କରାଯାଇଛି।