ଲଣ୍ଡନ,ଏଜେନ୍ସି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଣ୍ଡନର କେନିଂଟନ୍ ଓଭାଲ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ସେହିପରି ପ୍ରଥମ ଦିନରେ ଇଂଲଣ୍ଡ ପ୍ରଥମ ପାଳି ଖେଳିବାକୁ ସୁଯୋଗ ପାଇଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ ଇଂଲଣ୍ଡ ୫୩ ରନ୍ରେ ୩ଟି ୱିକେଟ୍ ହରାଇଛି। ଫଳରେ ଭାରତ ୧୩୮ ରନ୍ ଅଗ୍ରଣୀ ରହିଛି।
ଭାରତୀୟ ବୋଲର ଜସପ୍ରୀତ ବୁମରା ୨ଟି ଓ ଉମେଶ ଯାଦବ ଗୋଟିଏ ୱିକେଟ ହାସିଲ କରିଛନ୍ତି। ଓପନର ରୋରୀ ବୁର୍ନସ ୧୧ଟି ବଲ ଖେଳି ୫ ରନ୍ ସଂଗ୍ରହ କରିଥିଲେ। ହସିବ ହମୀଦ କୌଣସି ଶୂନରେ ଆଉଟ ହୋଇଥିବା ବେଳେ ଅଧିନାୟକ ଜୋ ରୁଟ ୨୫ଟି ବଲ ଖେଳି ୨୧ ରନ୍ ସଂଗ୍ରହ କରିବା ପରେ ଉମେଶ ଯାଦବଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିଲେ। ଓପନର ଦ୍ୱୟଙ୍କୁ ବୁମରା ଆଉଟ୍ କରିଥିଲେ।
ଭାରତର ଖେଳାଳିମାନେ ମଧ୍ୟ ଇଂଲଣ୍ଡର ବୋଲରଙ୍କୁ ସଠିକ ଭାବରେ ସମ୍ମୁଖୀନ ହୋଇପାରି ନଥିଲେ। ଓପରନ ରୋହିତ ଶର୍ମା ୧୧ ରନ୍, କେଏଲ ରାହୁଲ ୧୭ ରନ୍, ଚେତେଶ୍ୱର ପୂଜାରା ୪ ରନ୍ କରିଥିଲେ। ମାତ୍ର ଅଧିନାୟକ ବିରାଟ କୋହଲି ଧୈର୍ଯ୍ୟର ସହିତ ଖେଳିଥିବାରୁ ସେ ଅର୍ଦ୍ଧଶତକ (୫୦ ରନ୍) ହାସଲ କରିଥିଲେ। ସେହିପରି ଶାର୍ଦ୍ଦୁଲ ଠାକୁରଙ୍କ ବ୍ୟାଟରୁ ମଧ୍ୟ ଭାରତ ପାଇଁ ସର୍ବାଧିକ ୫୭ ରନ୍ ସଂଗୃହୀତ ହୋଇଥିଲା। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୧୦ ରନ୍, ଆଜିଙ୍କ୍ୟ ରାହାଣେ ୧୪ ରନ୍, ଋଷଭ ପନ୍ତ ୯ ରନ୍ ଓ ଉମେଶ ଯାଦବ ଦଳ ପାଇଁ ୧୦ ରନ୍ ଯୋଡ଼ିଥିଲେ। ବୁମରା କୌଣସି ରନ୍ ନକରି ପାଭଲିଅନ ଫେରିଥିବା ବେଳେ ମହମ୍ମଦ ସିରାଜ ମାତ୍ର ୧ ରନ୍ କରିଥିଲେ। ତେବେ ଆଜି ଭାରତ ୪ର୍ଥ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡକୁ ଅଲଆଉଟ କରିବାର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇବ।