ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଦେଶରେ ବର୍ତ୍ତମାନ ସୁଦ୍ଧା ଟିକାକରଣ ୬୦ କୋଟିରେ ପହଂଚିଛି। ଦେଶରେ ମଙ୍ଗଳବାର ପର୍ଯ୍ୟନ୍ତ ୫୯.୫୫ କୋଟି ଟିକାକରଣ ହୋଇଥିବାବେଳେ ଆଜି ଅପରାହ୍ନ ୪ଟା ସୁଦ୍ଧା ସଂଖ୍ୟା ୬୦ କୋଟି ଛୁଇଁ ଯାଇଥିଲା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରେ ଆଭାର ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ସମଗ୍ର ଦେଶରେ ଜାନୁଆରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଫ୍ରଣ୍ଟଲାଇନ ୱାର୍କର୍ସଙ୍କୁ ଟିକା ଦିଆଯାଇଥିଲା। ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ଗମ୍ଭୀର ରୋଗଗ୍ରସ୍ତ ୪୫ ବର୍ଷରୁ ଅଧିକ ବୟସ ଲୋକଙ୍କ ଟିକାକରଣ ହୋଇଥିଲା। ଏପ୍ରିଲରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦିଆଯାଇଥିଲା। ପରେ ମେ’ରୁ ଟିକାକରଣ ଗତିକୁ ଆହୁରି ଦ୍ରୁତ କରିବା ଲାଗି ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା।