ଚାଷୀଙ୍କ ସହ ମରୁଡ଼ି ସମସ୍ୟା ନେଇ ଆଲୋଚନା କଲେ ଟଙ୍କଧର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଝାରସୁଗୁଡ଼ା ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। କୁଲାବିରା ବ୍ଲକର ବଡ଼ବାହାଲ ଏବଂ ତରେଇକେଲା ଗ୍ରାମରେ ଅଭାବୀ ବର୍ଷା ଯୋଗୁ ଧାନ ମାରିବାରେ ଲାଗିଲାଣି। ଏଭଳିି ପରିସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଆଜି ବଡ଼ବାହଲ ଓ ତରେଇକେଲା ଗ୍ରାମରେ ଚାଷ ଜମି ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଫସଲ ନଷ୍ଟ ହୋଇଥିବା ଅଞ୍ଚଳଗୁଡ଼ିକ ମରୁଡ଼ି ଘୋଷଣା କରି ସହାୟତା ପ୍ରଦାନ କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ ମଧ୍ୟ କରିଛନ୍ତି। ସେହିପରି ଆଗାମୀ ଦିନରେ ଏହି ଅଂଚଳକୁ ଜଳସେଚିତ କରାଯାଇ କିପରି ମରଡ଼ିରୁ ରକ୍ଷା କରାଯାଇ ପାରିବ ସେନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରେମସେନ୍ ରାୟ, ଉପସଭାପତି ନେତାଜୀ ପଟ୍ଟନାୟକ, ମଣ୍ଡଳ ସଭାପତି ରାଜେନ୍ଦ୍ର ଦାସ ଓ ବହୁ ଚାଷୀ ଉପସ୍ଥିତ ଥିଲେ।