ବଲାଙ୍ଗିର,ଏନ୍ଏନ୍ଏସ୍: କେନ୍ଦ୍ରରେ ବିଜେପି ସରକାର କରିବାର ୭ ବର୍ଷ ବିତିଲା। ହେଲେ ସେମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ପୂରଣ ହୋଇନାହିଁ। ତୈଳଦର ବୃଦ୍ଧି, କଳାକୃଷି ଆଇନ, ଦରଦାମ ବୃଦ୍ଧି, ଲାଭଜନକ ସରକାରୀ ଉଦ୍ୟୋଗର ଘରୋଇକରଣ, ରୋଜଗାର ସୃଷ୍ଟି କରିବାରେ ସରକାର ବିଫଳ ହୋଇଛି। ଏହି ମଧ୍ୟରେ ବିଜେପି ସରକାରରେ ଥିବା ବିଭିନ୍ନ ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳକୁ ନେଇ ଜନ ଆଶିର୍ବାଦ ଯାତ୍ରା କରୁଛି। କିନ୍ତୁ ଦେଶର ଲୋକେ ଠିକ୍ ବୁଝି ଗଲେଣି, କେନ୍ଦ୍ର ସରକାରରେ ଥିବା ବିଭିନ୍ନ ମନ୍ତ୍ରୀ ଯେତେ ଆଶିର୍ବାଦ ଯାତ୍ରା କଲେ ମଧ୍ୟ ତାହା ନିଶ୍ଚିତ ଭାବେ ଜନ ଆକ୍ରୋଶରେ ହିଁ ପରିଣତ ହେବ ବୋଲି ଆଜି କେନ୍ଦ୍ରୀୟ ରେଳମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ହୋଇଥିବା ଜନ ଆକ୍ରୋଶ ସମାବେଶରେ ଦଳର ଜିଲ୍ଲା ସଭାପତି ଦିଲିପ ବେହେରା ରେଳ ମନ୍ତ୍ରୀଙ୍କୁ ଟାର୍ଗେଟ କରି ନିଜର ବକ୍ତବ୍ୟ ରଖିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ତଥା ସରକାରଙ୍କ କରୋନା ବିରୋଧ ଲଢେଇର ଭୁଲ ପରିଚାଳନା ଯୋଗୁଁ ଦେଶର ଅନେକ ଲୋକ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇବା ସହ ସମଗ୍ର ଦେଶବାସୀ ଆର୍ଥିକ ସ୍ତରରେ ଅନେକ କ୍ଷତି ସହିଛନ୍ତି। ଏପରି ସ୍ଥଳେ ବିଜେପିର ନେତାମାନେ ସରକାରୀ ପଇସାରେ ଜନ ଆଶିର୍ବାଦ ଯାତ୍ରା ଦେଶର କୋଟି କୋଟି ଗରିବ, ଖଟିଖିଆ, ସାଧାରଣ ଜନତାଙ୍କର ଅସହାୟତା ଉପରେ ଉପହାସ ବୋଲି ସେ ଆକ୍ଷେପ କରିଛନ୍ତି। ଏପରି ଆଶିର୍ବାଦ ଯାତ୍ରା ଏବଂ ଏହି ଯାତ୍ରାର ପୁରୋଧା ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଶ୍ଚିତ ଭାବେ ବଲାଙ୍ଗିର ଜିଲ୍ଲାବାସୀଙ୍କର ଆକ୍ରୋଶର ଶିକାର ହେବେ ବୋଲି ସଭାପତି ଶ୍ରୀ ବେହେରା କହିଛନ୍ତି।
ଏହା ସହ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବି ଯଥା ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ୨୦୨୩ ଭିତରେ ସମ୍ପୂର୍ଣ୍ଣ କରିବା, କଣ୍ଟାବାଞ୍ଜିରେ ଥିବା ରେଳ ବିଭାଗର ୭୦୦ ଏକର ଜମିରେ ରେଳ ୱାଗନ ଫେକ୍ଟ୍ରି ନିର୍ମାଣ କରିବା, ବଲାଙ୍ଗିର ଭାୟା ପାଟଣାଗଡ ଦେଇ ନୂଆଁପଡା ଦେଇ ନୂତନ ରେଳ ଲାଇନ ବିଛାଇବା, ଟିଟିଲାଗଡରେ ଏକ ଅଟୋମେଟିକ୍ ରେଲୱେ ୱାସିଂ ପ୍ଲାଣ୍ଟ ର ସ୍ଥାପନ କରିବା ଏବଂ ବଲାଙ୍ଗିରରୁ ଦେଶର ରାଜଧାନୀ ଦିଲ୍ଲୀକୁ ଏକ ଏକ୍ସପ୍ରେସ ଟ୍ରେନ ଆରମ୍ଭ କରିବାକୁ ନେଇ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି। ତା ସହ ଏହା ପୁରଣ ନ ହେଲେ ଆଗାମୀ ଦିନରେ ବଲାଙ୍ଗିରବାସୀ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ଜିଲ୍ଲା ଭିତରେ ତିବ୍ର ବିରୋଧ କରିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି।