କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବି ଜଣାଇଲା ରାଜ୍ୟ ବିଏଡ ଶିକ୍ଷକ ମହାସଂଘ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଓଡ଼ିଶାର ଶିକ୍ଷା ଓ ଶିକ୍ଷକମାନଙ୍କର ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଛି ଓଡ଼ିଶା ପ୍ରାଥମିକ ବିଏଡ ଶିକ୍ଷକ ମହାସଂଘ। ଏକ ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଡ. ଦେବେନ୍ଦ୍ର କୁମାର ନାୟକ ଓ ବନବିହାରୀ ପ୍ରତିହାରୀ ପ୍ରମୁଖ ଶ୍ରୀ ପ୍ରଧାନଙ୍କୁ ଭେଟିଥିଲେ। ଏହି ଆଲୋଚନା ସମୟରେ ମହାସଂଘ ତରଫରୁ ବିଭିନ୍ନ ଦାବି ଉପସ୍ଥାପନ କରି ତା’ର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ରାଜ୍ୟରେ ତୁରନ୍ତ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରାଯିବା ସହ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଥିବା ସମସ୍ୟା ଓ ସେଗୁଡ଼ିକ କିପରି କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ସମାଧାନ ହୋଇପାରିବ ଏବଂ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିକୁ ସଜଡ଼ାଯାଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା।

ଶିକ୍ଷକମାନଙ୍କ ସମସ୍ୟା ବିଷୟରେ କାର୍ଯ୍ୟକାରୀ ସଭାପତି ଶ୍ରୀ ପଣ୍ଡା, ମନ୍ତ୍ରୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । “ଗୋଟିଏ ଦେଶ, ଗୋଟିଏ ଶିକ୍ଷାନୀତି ଏବଂ ଗୋଟିଏ ପ୍ରକାରର ଶିକ୍ଷକ ନିଯୁକ୍ତି ନୀତି”କୁ ଆପଣାଇବାକୁ ସଂଘ ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ମହାସଂଘ ତରଫରୁ ପ୍ରସ୍ତାବ ଦିଆଯାଇଛି । ଏହା ହେଲେ ଶିକ୍ଷକମାନଙ୍କ ମଧ୍ୟରେ ଥିବା ବିଭିନ୍ନ ଗୋଷ୍ଠୀ ଓ ଭେଦଭାବ ଦୂର ହେବା ସହ ସାରା ଭାରତରେ ଶିକ୍ଷକମାନେ ଗୋଟିଏ ପ୍ରକାରର ହେବ। ସେମାନଙ୍କ ମଧ୍ୟରେ ଥିବା ତାରତମ୍ୟତା ଓ ଗୋଷ୍ଠୀ ବିବାଦ ଦୂର ହୋଇ ସମସ୍ତେ ସମାନ ହୋଇପାରିବେ ବୋଲି ମହାସଂଘ ଜଣାଇଛି। ଓଡ଼ିଶା ସରକାର ବିଜ୍ଞାପନ ଦେଇ ଓଟିଇଟି ପରୀକ୍ଷା କରାଇ ବିଏଡ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡରର ବ୍ୟବସ୍ଥା ନ କରି ସମସ୍ତଙ୍କୁ ଗୋଟିଏ ପ୍ରକାରର ମାଟ୍ରିକ୍ ସିଟି ହାରରେ ଦରମା ଦିଆଯାଉଥିବା ବିଷୟ ସଂଘ ମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଯାଇଥିଲା।

ସମଗ୍ର ଶିକ୍ଷା ଯୋଜନାରେ କନିଷ୍ଠ ଶିକ୍ଷକମାନଙ୍କୁ ବିଜ୍ଞାପନ ଦେଇ ନିଯୁକ୍ତି ଦେଉଥିଲେ ମଧ୍ୟ କେନ୍ଦ୍ର ଦେଉଥିବା ଅନୁଦାନ ଅନୁସାରେ ଶିକ୍ଷକଙ୍କୁ ଦରମା ନ ଦେଇ ମାତ୍ର ଟ.୬୫୧୨/- ଦରମା ଦେଇ ୬ ବର୍ଷ ଗୋତି ଶ୍ରମିକ ଭାବେ ଖଟାଉଛନ୍ତି ଏବଂ ଏହି ସମୟକୁ ମୂଳ ଚାକିରୀରେ ଗଣନା ମଧ୍ୟ କରୁନଥିବା ବିଷୟ କେନ୍ଦ୍ରମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଯାଇଛି। ଆଦୌ ନିଯୁକ୍ତି ପାଇନଥିବା ବି.ଏ. / ବି.ଏସ୍‌ସି., ସି.ଟି. ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ପ୍ରମୋଶନ ଦିଆଯାଇ ବି.ଏଡ୍ ଶିକ୍ଷକମାନଙ୍କ ସହ ସମତୁଲ କରାଯାଉଥିବା ବିଷୟ ମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଛି। ଏଥିରେ ମନ୍ତ୍ରୀ ମହୋଦୟ ହସ୍ତକ୍ଷେପ କରି ଓଡ଼ିଶାର ଶିକ୍ଷକମାନଙ୍କୁ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେସଙ୍ଗେ ନ୍ୟାୟ ପ୍ରଦାନ କରିବାକୁ ମହାସଂଘ ପକ୍ଷରୁ ସଭାପତି ଅଜୟ କୁମାର ଧଳ, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପଣ୍ଡା, ଦୁର୍ଯ୍ୟୋଧନ ଦାସ, ଯୁଗ୍ମ ସମ୍ପାଦକ ରୂପେଶ କୁମାର ସାହୁ, ଆବାହକ ପ୍ରଦ୍ୟୁମ୍ନ ବାରିକ, ଉପସଭାପତି ନୃସିଂହ ଚରଣ ସାହୁ, ଅକ୍ଷୟ କୁମାର ପୃଷ୍ଟି, ମିଡ଼ିଆ ସଂଯୋଜକ କ୍ଷୀରୋଦ ସ୍ୱାଇଁ, ଲଲାଟେନ୍ଦୁ ମହଲ ଓ ପଦ୍ମଲୋଚନ ଘଡ଼େଇ, ଅମୂଲ୍ୟ ଲେଙ୍କା, ମକରକେତନ ସାହୁ ପ୍ରମୁଖ ଦୃଢ ଦାବି ଜଣାଇଛନ୍ତି।