ରେଳମନ୍ତ୍ରୀଙ୍କ ଗସ୍ତପରେ ରେଳ ଡିଭିଜନ ରୂପରେଖ ଚୂଡାନ୍ତ, ପୂରୁଣା ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ହେବ ଡିଆରଏମ କାର୍ଯ୍ୟାଳୟ

ରାୟଗଡ଼ା,ଏନ୍ଏନ୍ଏସ୍: ରେଳମନ୍ତ୍ରୀଙ୍କ ଗସ୍ତର ଦିନଟେ ପରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟାଳୟ ରୂପରେଖ ଚୂଡାନ୍ତ ହୋଇସାରିଛି। ଏଥିଲାଗି ସ୍ଥାନ ନିରୂପଣ ସରିଛି। ଯୋଜନା ଅନୁଯାୟୀ ନିର୍ମାଣ କାମ ଶୀଘ୍ର ଆରମ୍ଭ ହେବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ ରାୟଗଡା ଗସ୍ତରେ ଆସିଥିବାବେଳେ କାର୍ଯ୍ୟାଳୟ ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ଅନୁଧ୍ୟାନ କରିବା ସହ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଥିଲେ। ପରେ ତୁରନ୍ତ କାର୍ଯ୍ୟଆରମ୍ଭ କରିବା ପାଇଁ ଗ୍ରୀନ ସିଗନାଲ ଦେବାପରେ ରେଳ ଡିଭିଜନ ନିର୍ମାଣ ପାଇଁ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ରାୟଗଡ଼ା ଜିଲ୍ଲା ଗସ୍ତ କରିବା ପରେ ରେଳ ଡିଭିଜନ କାର୍ଯ୍ୟାଳୟ ପାଇଁ ବାଟ ଫିଟିଛି। ମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା ଠାରେ ରେଳ ଡିଭିଜନ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ ଶେଷ କରାଯାଇଛି। ଯାହାକି ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଏକ ସୁଖକର ଖବର।

ଖୁବଶୀଘ୍ର ରେଳ ଡିଭିଜନ ପାଇଁ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ୧୨୫.୭୮ ଏକର ଜମିରେ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନା କରାଯିବ। ଏହି ଜମିକୁ ୬ଟି ଭାଗରେ ବିଭକ୍ତ କରାଯାଇଛି। ମୁଖ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଆରପିଏଫ ବାରାକ, ସ୍ୱାସ୍ଥ୍ୟକେନ୍ଦ୍ର, ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ, ମେକାନିକାଲ ସେକ୍ସନ ପାଇଁ ଏହି ଜମି ବ୍ୟବହାର ହେବ। ସାଇଟ-୧ରେ ୫୦.୭୨ ଏକର, ସାଇଟ-୨ରେ ୩୮.୭୬ ଏକର, ସାଇଟ-୩ରେ ୯.୪୧ ଏକର, ସାଇଟ-୪ରେ ୧୫.୯୧ ଏକର, ସାଇଟ-୫ରେ ୮.୮୮ ଏକର, ସାଇଟ-୬ରେ ୧.୭୨ ଏକର ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୦.୩୮ ଏକର ଜମି ଚିହ୍ନଟ ଶେଷ କରାଯାଇଛି। ଜାତୀୟ ରାଜପଥ ୩୨୬ କଡ଼ର ଏଫସିଆଇ ଛକଠାରୁ ଆରମ୍ଭ କରି ରୟତକୋଲୋନି ଦେଇ ରାମକୃଷ୍ଣ ନଗର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଲଗା ଅଲଗା କାର୍ଯ୍ୟାଳୟ ସ୍ଥାପନା କରାଯିବ। ମୁଖ୍ୟ କାର୍ଯ୍ୟଳୟ ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଆହୁରି ୫୦୦ ଏକର ଜମିରେ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଲାଡ୍ଡା ରେଳଷ୍ଟେସନ ଠାରୁ ଆରମ୍ଭ କରି ରାୟଗଡ଼ା ଦେଇ ଜେକେପୁର ପର୍ଯ୍ୟନ୍ତ ସମସ୍ତ କାର୍ୟ୍ୟ କରାଯିବ। ଏଣେ ଖଲିଗୁଡ଼ା ନିକଟରେ ରେଳ ରହଣି ଓ ସଫେଇ ନିମନ୍ତେ ସ୍ଥାନ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ରେଳମନ୍ତ୍ରୀଙ୍କ ଗସ୍ତପରେ ଏହି ତ୍ୱରିତ ପଦକ୍ଷେପ ନିଶ୍ଚିତ ଭାବେ ଅନୁସୂଚିତ ଅଞ୍ଚଳ ପାଇଁ ସୌଭାଗ୍ୟ ଆଣିବାକୁ ଯାଉଛି। ଗତକାଲି ବିଭିନ୍ନ ସଂଗଠନ ପକ୍ଷରୁ ରେଳ ଡିଭିଜନ ନିମନ୍ତେ ଦାବି କରାଯାଇଥିଲା। ମୁଖ୍ୟତଃ ଯୋଗାଯୋଗ କ୍ଷେତ୍ରରେ ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପଛୁଆ ରହିଥିବା ଯୋଗୁଁ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ହେଲେ ସମସ୍ୟା ଦୂରିଭୁତ ହୋଇପାରିବ ବୋଲି ଏକ ସ୍ୱରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ କୁହାଯାଇଥିଲା। ଶ୍ରୀ ବୈଷ୍ଣବ ଲୋକଙ୍କ ଭାବାବେଗକୁ ଗ୍ରହଣ କରି ରେଳ ଡିଭିଜନ ପାଇଁ ସ୍ଥାନ ନିରୂପଣକୁ ମଞ୍ଜୁର କରିଛନ୍ତି। ତେବେ ଡିଭିଜନ କାର୍ଯ୍ୟାଳୟ ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଡିପିଆର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ପରେ ଏହାର ରୂପରେଖ ଜଣାପଡ଼ିବ। ସୂଚନା ପ୍ରକାରେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନା ପାଇଁ ଭିତ୍ତିପ୍ରସ୍ତର ପ୍ରଦାନ କରିବେ। ଶ୍ରୀ ବୈଷ୍ଣବ ଦିଲ୍ଲୀ ପହଞ୍ଚିବା ପରେ ତାଙ୍କ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ ପରେ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶଥାଉକି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାୟଗଡ଼ା ଠାରେ ରେଳ ଡିଭିଜନ ନିମନ୍ତେ ତତ୍କାଳିନ ରେଳମନ୍ତ୍ରୀ ପିୟୁସ ଗୋଏଲ ସଂସଦରେ ଘୋଷଣା କରିଥିଲେ। ଅଢ଼େଇ ବର୍ଷ ମଧ୍ୟରେ ରେଳ ଡିଭିଜନ କାର୍ଯ୍ୟାଳୟ ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାକୁ ନେଇ ଅସନ୍ତୋଷ ଲୋକଙ୍କ ମଧ୍ୟରେ ବଢ଼ିଚାଲିଥିଲା। ପୂର୍ବରୁ ଜଣେ ନୋଡ଼ାଲ ଅଧିକାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ରେଳ ବିଭାଗ ତାହା ପ୍ରତ୍ୟାହାର କରିଥିଲା। ବର୍ତ୍ତମାନ ପୁନର୍ବାର ନୋଡ଼ାଲ ଅଧିକାରୀ ସମେତ ସ୍ୱତନ୍ତ୍ର ଯନ୍ତ୍ରୀଙ୍କୁ ନିଯୁକ୍ତି କରାଯିବ ବୋଲି ସୂଚନା ହସ୍ତଗତ ହୋଇଛି।