ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଟୋକିଓ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ଭାରତୀୟ ପୁରୁଷ ହକି ଦଳ। ଏହି ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ସାମିଲ ଥିଲେ। ସେହିପରି ଅଲମ୍ପିକ୍ସରେ ଚତୁର୍ଥ ସ୍ଥାନ ହାସିଲ କରିଥିବା ଭାରତୀୟ ମହିଳା ହକି ଦଳର ଦୁଇ ଖେଳାଳି ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋ ମଧ୍ୟ ଓଡ଼ିଆ ଝିଅ। ଆଜି ସେମାନଙ୍କୁ ଝାରସୁଗୁଡାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ହକି କିମ୍ବଦନ୍ତୀ ପଦ୍ମଶ୍ରୀ ଦିଲୀପ ତୀର୍କିଙ୍କ ସହ ଏହି ହକି ଅଲମ୍ପିୟାନମାନେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବାପରେ ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଅଲମ୍ପିକ୍ସରେ ହକି ଖେଳରେ ଖୁବ ସୁନ୍ଦର ପ୍ରଦର୍ଶନ କରି ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିଥିବାରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ଏହି ଅବସରରେ ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ କହିଛନ୍ତି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ଦୀପ ଗ୍ରେସ ଏକ୍କା ଏବଂ ନମିତା ଟପ୍ପୋଙ୍କ ପ୍ରତିଭା କେବଳ ଓଡ଼ିଶା ନୁହେଁ ପୂରା ବିଶ୍ୱ ଦେଖିସାରିଛି। ତାଙ୍କଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା ତଥା ଆଖପାଖ ଅଞ୍ଚଳରେ ଅନେକ ଯୁବ କ୍ରୀଡ଼ାବିତ ପ୍ରୋତ୍ସାହିତ ହେବେ। ସେହିପରି ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ତାପସ ରାୟ ଚୌଧୁରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସହାୟତାକୁ ଏହି ହକି ତାରକାମାନେ ସଫଳ କରିଛନ୍ତି।
ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଗାମୀ ୧୦ ବର୍ଷ ପାଇଁ ହକିକୁ ପ୍ରାୟୋଜିତ କରିବେ ବୋଲି ଘୋଷଣା କରିଛନ୍ତି। ସେହିପରି ଆଗାମୀ ଦିନରେ ହକିରେ ଭାରତୀୟ ଦଳ ବିଶ୍ୱରେ ସର୍ବଶ୍ରେଷ୍ଠ ଦଳ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଳ କୁମାର ମିଶ୍ର, ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଜୀବନ ମହାନ୍ତି, ବ୍ରିଜେଶ ଶର୍ମା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଲମ୍ବୋଦର ବୁଡା, ଏସଡିପିଓ ନିର୍ମଳ ମହାପାତ୍ର ପ୍ରମୁଖଙ୍କ ସହ ଜିଲ୍ଲାବାସୀ ଉପସ୍ଥିତ ଥିଲେ।