କୋରାପୁଟ,ଏନ୍ଏନ୍ଏସ୍: ଉପାନ୍ତ ବନ୍ଧୁଗାଁ ଥାନା ଅଧୀନ ଓଡ଼ିଶା-ଆନ୍ଧ୍ର ସୀମା ଆଲମଣ୍ଡା ଗ୍ରାମରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଆଲମଣ୍ଡା ଗ୍ରାମର ଭି.ସନ୍ତୋଷ କୁମାର ଓ ଜି.ଶ୍ରବଣ କୁମାର। ମିଳିଥିବା ରିପୋର୍ଟ ମୁତାବକ, ବେଆଇନ୍ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ଉଭୟ ଚୋରା ମଦ ବେପାରୀଙ୍କ ଘରେ ଚଢ଼ଉ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ ଓ ଅବକାରୀ ବିଭାଗ ସଦର ଓଆଇସି ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଆଜି ପୂର୍ବାହ୍ନରେ ସନ୍ତୋଷ କୁମାର ଓ ଶ୍ରବଣ କୁମାରଙ୍କ ଘରେ ଚଢ଼ଉ କରିଥିଲେ। ଏହି ସମୟରେ ଉଭୟଙ୍କ ଘରୁ ୧୬୫.୧୮୦ ଲିଟର ବିଦେଶୀ ମଦ ଏବଂ ୧୮୨.୯୫୦ ଲିଟର ବିଅର ସହ ଏକ ବଲେରୋ ଜିପ ଜବତ କରିଛନ୍ତି। ଜବତ ବିଦେଶୀ ମଦର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କୁ ଲକ୍ଷ୍ମୀପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି। ଚଢ଼ଉରେ ଅବକାରୀ ଏଏସଆଇ ଅରପଲୋକ ଦାଶ, କନେଷ୍ଟବଳ ତ୍ରିଲୋଚନ ରାୟଚେଟ୍ଟୀ, ଆର୍ ଭେଙ୍କଟେସ୍ କୁମାର, ରାମଚନ୍ଦ୍ର ଗୌଡ଼ ଓ ବୁଲୁ ଗୌଡ଼ ପ୍ରମୁଖ ସାମିଲ ହୋଇଥିଲେ।