ନୂଆଦିଲ୍ଲୀ,ଏଜେନ୍ସି: ରାତି ପାହିଲେ ଦେଶରେ ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ସ୍ୱାଧୀନତା ଦିବସ ପାଳନ ହେବ। ଏଥିପାଇଁ ସବୁସ୍ଥାନରେ ପ୍ରସ୍ତୁତି ଜାରି ରହିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟ ସ୍ଥାନଗୁଡ଼ିକରେ ପୁଲିସ ମୁତୟନ ହୋଇଛନ୍ତି। ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥା ଉପର କଡ଼ା ନଜର ରଖିଛି। ଟ୍ରାଫିକ ପୁଲିସ ଦିଲ୍ଲୀରେ ଗାଡ଼ିଗୁଡ଼ିକର ପ୍ରବେଶ ଉପରେ ମଧ୍ୟ ନଜର ରଖିଛି। ଅଗଷ୍ଟ ୧୪ ତାରିଖ ରାତି ୧୧ଟାରୁ ନୋଏଡାରୁ ଦିଲ୍ଲୀରେ କୌଣସି ପ୍ରକାରରେ ମାଲବାହୀ ଏବଂ ବ୍ୟବସାୟିକ ଯାନବାହନ ଚଳାଚଳ କରିପାରିବ ନାହିଁ। ଏଥି ସହିତ ଭାରୀ, ମଧ୍ୟମ ଏବଂ ହାଲୁକା ଆଦି ଯାନବାହନ ମଧ୍ୟ ଚଳାଚଳ ବନ୍ଦ ରହିବ।
ଅଗଷ୍ଟ ୧୫ର କାର୍ଯ୍ୟକ୍ରମ ଶେଷ ହେବା ପରେ କଟକଣା କୋହଳ କରାଯିବ। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୁଲିସ ଏହି ନିଷ୍ପତ୍ତି ନେଇଛି। ପୁଲିସ ରାସ୍ତାକୁ ନେଇ ମଧ୍ୟ ଗାଇଡଲାଇନ ଜାରି କରିଛି। ଚିଲ୍ଲା ରେଡ ଲାଇଟ (ସୀମା) ଠାରୁ ଦିଲ୍ଲୀରେ ପ୍ରବେଶ କରି ଅନ୍ୟ ସ୍ଥାନକୁ ଯାଉଥିବା ଗାଡ଼ିକୁ ଚିଲ୍ଲାରେଡ ଲାଇଟରୁ ୟୁ-ଟର୍ଣ୍ଣ ନେଇ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସରୁ ପୂର୍ବ ଆଭ୍ୟନ୍ତରୀଣ ଏକ୍ସପ୍ରେସ-ୱେ ଦେଇ ଯିବାକୁ ପଡ଼ିବ।