ନାକରେ ଦିଆଯାଇପାରିବ କରୋନା ଟିକା! ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସରୁ ମୁକ୍ତି ମିଳିବା ପାଇଁ ଭାରତକୁ ଖୁବଶୀଘ୍ର ଆଉ ଏକ ଟିକା ମିଳିବାକୁ ଯାଉଛି। ଏହି ଟିକା ନାକରେ ଡ୍ରପ ମାଧ୍ୟମରେ ଦିଆଯାଇ ପାରିବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଟିକା ଭାରତ ବାୟୋଟେକ ଦ୍ୱାରା ବିକଶିତ କରାଯାଉଛି। କମ୍ପାନୀକୁ ଏହି ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଞ୍ଜୁରି ମିଳିଛି। କ୍ଲିନିକାଲ ପରୀକ୍ଷା ଲାଗି ନିୟାମକର ମଞ୍ଜୁରି ମିଳିଯାଇଛି। ଜୈବପ୍ରଯୁକ୍ତି ବିଭାଗ କହିଛି ଯେ, ଏହି ଔଷଧର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୧୮ରୁ ୬୦ ବର୍ଷ ବୟସ ବର୍ଗଙ୍କୁ ନେଇ କରାଯାଇଥିଲା, ଯାହାକି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିଲା।

ନାକ ମାଧ୍ୟମରେ ଦିଆଯାଉଥିବା ଭାରତ ବାୟୋଟେକର ଏହା ପ୍ରଥମ ନେଜାଲ ଟିକା, ଯାହାକୁ କି ୨ୟ ପର୍ଯ୍ୟାୟର ପରୀକ୍ଷା ପାଇଁ ନିୟାମକର ମଞ୍ଜୁରି ମିଳିଛି। ଡିବିଟି ଏକ ବୟାନରେ କହିଥିଲା ଯେ, କମ୍ପାନୀକୁ ୨ୟ ଏବଂ ୩ୟ ପର୍ଯ୍ୟାୟର ପରୀକ୍ଷା ଲାଗି ମଞ୍ଜୁରୀ ମିଳିଯାଇଛି। ଏହା କରୋନାର ପ୍ରଥମ ଟିକା, ଯାହାକୁ ଭାରତରେ ମଣିଷଙ୍କ ଉପରେ ପରୀକ୍ଷା କରାଯିବ। କମ୍ପାନୀ ଏହାର ଟେକନିକ ସେଣ୍ଟ ଲୁଇସସ୍ଥିତ ୱାଶିଂଟନ ୟୁନିଭରର୍ସିଟିରୁ ହାସଲ କରିଛି।