ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ପୁଲିସ ଏକ ବୋଲେରୋରେ ୨୦୦ ଲିଟର ଚୋରା ଡିଜେଲ ଚାଲାଣ କରୁଥିବାବେଳେ କର୍ଲାଜୁରୀ ଛକ ନିକଟରୁ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗରିଫ ଅଭିଯୁକ୍ତମାନେ ପ୍ରକାଶ ପଟେଲ(୨୩), ଦୀପକ ସାହୁ(୧୯), ପ୍ରକାଶ ବଢ଼େଇ(୨୭), ସଚିନ ବେହେରା(୧୯) ଓ ମନୋଜ ସମର୍ଥ(୩୮)ବୋଲି ଲଖନପୁର ଥାନାଧିକାରୀ ଦୁଖିନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଲଖନପୁର ଖଣି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଜଆର କମ୍ପାନୀର ଏକ ଭଲ୍ଭୋ ଗାଡ଼ିରୁ ଡିଜେଲ ଚୋରୀ ହୋଇଥିବା ନେଇ କମ୍ପାନୀର ଟେକନିକାଲ ମ୍ୟାନେଜର ଲଖନପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ଭୋର ୪ଟାରେ ଅଭିଯୁକ୍ତଙ୍କୁ ଗିରଫ କରିଛି।