ବାଇକ ସହ ଦେଶୀ ମଦ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ଘାଟବାଗରା ଛକରୁ ଅବକାରୀ ବିଭାଗ ଏକ ହୋଣ୍ଡା ସାଇନ୍ ବାଇକ ଓ ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଘିଉରିଆଗୁଡ଼ାର ଅର୍ଜୁନ ବିଷୋୟୀ। ମିଳିଥିବା ରିପୋର୍ଟ ମୁତାବକ, ଜୟପୁର ଅବକାରୀ ଓଆଇସି ସଞ୍ଜୟ କୁମାର କାଣ୍ଡି ଏବଂ ଅନ୍ୟ କର୍ମଚାରୀ ପେଟ୍ରୋଲିଂ କରୁଥିବାବେଳେ ଘାଟବାଗରା ଛକରେ ଜଣେ ବ୍ୟକ୍ତି ବାଇକ ପଛରେ ଏକ ବସ୍ତାରେ କିଛି ନେଉଥିବା ଦେଖି ସନ୍ଦେହ କରିଥିଲେ। ବାଇକକୁ ଅଟକାଇ ଯାଞ୍ଚ କରିବା ସମୟରେ ଜରି ବସ୍ତାରେ ଦେଶୀ ରନ୍ଧା ମଦ ଚାଲାଣ କରାଯାଉଥିବା ଜଣା ପଡ଼ିଥିଲା। ଅବକାରୀ ବିଭାଗ ଟିମ୍ ବସ୍ତା ଖୋଲି ଦେଖିଲା ବେଳକୁ ସେଥିରୁ ୪୦ ଲିଟର ଦେଶୀ ରନ୍ଧା ମଦ ମିଳିଥିଲା। ଏଥିସହିତ ଚୋରା ମଦ ଚାଲାଣକାରୀ ଅର୍ଜୁନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଜୟପୁର ଅବକାରୀ ଓଆଇସି ଶ୍ରୀ କାଣ୍ଡି ସୂଚନା ଦେଇଛନ୍ତି।