ନବରଙ୍ଗପୁର,ଏନ୍ଏନ୍ଏସ୍: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଆକାଉଣ୍ଟାଣ୍ଟ ଧରା ପଡ଼ିଛନ୍ତି। ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି। ମିଳିଥିବା ରିପୋର୍ଟ ମୁତାବକ, ୧କୋଟି ୬୭ ଲକ୍ଷ ଟଙ୍କାର ଗୋଟିଏ ପାଇପ କାମର ଟେଣ୍ଡର ପାଇଥିବାବେଳେ ସେହି କାମର ଏଗ୍ରିମେଣ୍ଟ କରାଇବା ପାଇଁ ସୁମିତ କଣ୍ଟ୍ରାକ୍ଟରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି କଣ୍ଟ୍ରାକ୍ଟର ଜଣକ ଲାଞ୍ଚ ଟଙ୍କା ନେଇ ଆକାଉଣ୍ଟାଣ୍ଟକୁ ଦେଉଥିବା ବେଳେ ପୂର୍ବରୁ ଜଗିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଗିରଫ କରିଥିଲେ। ଏଥିସହ ତାଙ୍କ ବାସଭବନରେ ଚଢ଼ଉ ଜାରି ରହିଥିବା ବେଳେ ସେଠାରୁ ନଗଦ ୪୧ ହଜାର ଟଙ୍କା ଜବତ ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ମଧ୍ୟ ସୁମିତ ବିଭିନ୍ନ କାମ ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସେନେଇ ମଧ୍ୟ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ଉରେ ଭିଜିଲାନ୍ସର ୨ଟି ଟିମ୍ ସାମିଲ ଥିଲେ। ସେଥିରେ ୩ଜଣ ଡ଼ିଏସପି, ୨ଜଣ ଇନ୍ସପେକ୍ଟର, ଜଣେ ଏଏସଆଇ ଓ ୩ଜଣ କନେଷ୍ଟବଳ ଥିବା ଜଣାପଡ଼ିଛି।