ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଡୁଙ୍ଗୁରିପାଳି ସ୍ଥିତ ସାଉନ୍ତଉପେର ଗ୍ରାମରେ ନାବାଳିକା ଝିଅକୁ ରାଜସ୍ଥାନୀ ବର ସହିତ ବିବାହ କରାଉଥିଲେ ପରିବାର ଲୋକେ। ଖବର ପାଇ ପୁଲିସ ପ୍ରଶାସନ ସେଠାରେ ପହଞ୍ଚି ବାହାଘର ରୋକିବାରେ ସଫଳ ହୋଇଛି। ସୂଚନା ଅନୁସାରେ ବ୍ଳକର ସାଉଁନ୍ତଉପେର ଗ୍ରାମର ସୁରେନ୍ଦ୍ର ବାରିକଙ୍କ ନାବାଳିକା ନାତୁଣୀ ସହ ରାଜସ୍ଥାନର ରାକେଶ ଶର୍ମାଙ୍କ ଗତ ଶୁକ୍ରବାର ରାତିରେ ବିବାହ ସମ୍ପନ୍ନ କରିଦେଇଥିଲେ ପରିବାର ଲୋକେ।
ବର ରାଜସ୍ଥାନକୁ ଯିବା ପାଇଁ ସଜବାଜ ହେଉଥିବା ବେଳେ ଖବର ପାଇ ପରେ ସ୍ଥାନୀୟ ସିଡ଼ିପିଓ ସବିତା ଦାସ, ସୁପରଭାଇଜର ବାସନ୍ତୀ ଜାନୀ ଓ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ଝିଅ ଓ ରାଜସ୍ଥାନୀ ପୁଅକୁ ଥାନାରେ ଆଣି ଅଟକ ରଖି ପଚରାଉଚରା କରିଥିଲେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ। ଏଥିସହ ଯେଉଁ ଦିନ ପର୍ଯ୍ୟନ୍ତ ୧୮ ବର୍ଷ ନପୂରିଛି ସେହି ଦିନ ପର୍ଯ୍ୟନ୍ତ ଝିଅ ବାହା ହୋଇପାରିବ ନାହିଁ ବୋଲି ପ୍ରଶାସନ ପରିବାର ଲୋକଙ୍କୁ ବୁଝାଇ ଥିଲା। ପରେ ସିଡ଼ବ୍ଲୁସି ସଦସ୍ୟ ନିଳାମ୍ବର ମାଝୀଙ୍କୁ ଝିଅକୁ ହସ୍ତାନ୍ତର କରିଥିଲେ। ଏହାପରେ ନାବାଳିକା ଝିଅଙ୍କୁ ଦେଓଗାଁ ସାଲେପାଲି ସ୍ଥିତ ଆଶ୍ରମରେ ରଖାଯାଇଥିବା ପ୍ରଶାସନ ସୂଚନା ଦେଇଛି।