କୋରାପୁଟ,ଏନ୍ଏନ୍ଏସ୍: ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ମାଲକାନଗିରି ଗସ୍ତ ସାରି ଭୁବନେଶ୍ୱରକୁ ଫେରୁଥିବା ସମୟରେ କୋରାପୁଟ ସର୍କିଟ ହାଉସରେ ଦଳୀୟ ନେତା ଓ କର୍ମୀ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ନେତା ଓ କର୍ମୀମାନେ ଶ୍ରୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହାପରେ ନନ୍ଦପୁର ଜୋନାଲ କମିଟିର ସଦସ୍ୟମାନଙ୍କ ସହ ସାଙ୍ଗଠନିକ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା, ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଉପ-ସଭାପତି ଉତ୍କଳ ରଞ୍ଜନ ନାୟକ, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ, ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ, ଜଗନ୍ନାଥ ପାଙ୍ଗୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଜୋନାଲ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
ସେହିପରି ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି, ପର୍ଯ୍ୟବେକ୍ଷକ ଶିବ ପଟ୍ଟନାୟକଙ୍କୁ ନେଇ ଲକ୍ଷ୍ମିପୁର ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଲତା ରାୟଙ୍କ ସହ ସେ ମହିଳା ସଙ୍ଗଠନ ଉପରେ ଆଲୋଚନା କରିଥିଲୋ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେଣୁ ଜିଲ୍ଲାରେ ଦଳର ସଙ୍ଗଠନକୁ ମଜଭୁତ କରିବା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି। ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ, କୋରାପୁଟ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି, ଉପସଭାପତି ନାରସୁଲ କାମୁଡି, କୋରାପୁଟ ନଗର ସଭାପତି ସୁରେଶ ପଟ୍ଟନାୟକ, ମହିଳା ନେତ୍ରୀ ଇନ୍ଦିରା ନନ୍ଦ, ରୀତା ପାଣିଗ୍ରାହୀ, କୋରାପୁଟ ବ୍ଲକ କଂଗ୍ରେସ ସଭାପତି ସଞ୍ଜୟ ମହାନ୍ତ ଓ ଅନ୍ୟାନ୍ୟ ନେତାମାନଙ୍କ ସହ ସେ ଆଲୋଚନା କରିଥିଲେ।