ଜାମିନ ପାଇଁ ହାଇକୋର୍ଟରେ ପିଏସ ବିରଞ୍ଚି

  • କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ସଦସ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବା ପରେ ବିରଞ୍ଚି ହାଇକୋର୍ଟରେ ଆଜି ଆବେଦନ କରିଛନ୍ତି। ଭିଜିଲାନ୍ସ ମାମଲାରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ଓ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଫସାଇ ଦିଆଯାଇଛି ଦର୍ଶାଇ ବିରଞ୍ଚି ନିୟମିତ ଜାମିନ ଆବେଦନ ଆଇନଜୀବୀ ସ୍ମୃତିରଞ୍ଜନ ମହାପାତ୍ରଙ୍କ ଜରିଆରେ ଦାୟର କରିଛନ୍ତି।
    ଆଜି ଓଏସଏସସି କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଏହି ସମୟରେ ପଚରାଉଚରା କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ବିରଞ୍ଚି କୋର୍ଟଚାଲାଣ ହୋଇଛନ୍ତି। ଭିଜିଲାନ୍ସ ଏସପିଙ୍କ ସୂଚନା ଅନୁଯାୟୀ, ତଦନ୍ତବେଳେ ବିରଞ୍ଚିଙ୍କ ଘରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କର ଆଡମିଟ କାର୍ଡ ଜବତ କରାଯାଇଥିଲା। ସେଥିମଧ୍ୟରୁ ୧୦୭ ଜଣ କେଉଁଠି ଚାକିରି ପାଇନଥିବା ତଦନ୍ତରୁ ଜଣାପଡିଛି। ହେଲେ ବାକି ୭ଜଣଙ୍କୁ ନେଇ ତଦନ୍ତ ଚାଲିଛି। ସେହି ୭ଜଣ କେଉଁଠି ଚାକିରି ପାଇଛନ୍ତି କି ନାହିଁ ତାହା ତଦନ୍ତ ଘେରରେ ରହିଛି। ସୂଚନାଯୋଗ୍ୟ, କେଉଁଠି ପୁଞ୍ଜି ନିବେଶ, ଅନୈତିକ ଉପାର୍ଜନ ଆଉ ଆୟବ୍ୟୟର ଆକଳନ ଏହି ତିନିଟି ତଥ୍ୟ ହାସଲ ପାଇଁ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣିଥିଲା ଭିଜିଲାନ୍ସ। ଏଥିରେ ସ୍ପଷ୍ଟ ହୋଇଛି ଯେ, ବିରଞ୍ଚିଙ୍କ ଅନେକଗୁଡ଼ିଏ ଅଣ୍ଡର ଭ୍ୟାଲୁ ପ୍ରପର୍ଟି ରହିଛି, ଯାହାର ମୂଲ୍ୟ ଆଗକୁ ବଢ଼ିପାରେ। ଇନ୍ସରାନ୍ସ ପଲିସି କରିବାରେ ଆକ୍ଟିଭ ଥିଲେ ବିରଞ୍ଚି। ସେ ସ୍ତ୍ରୀଙ୍କ ଆଢୁଆଳରେ ମୋଟ ୯୦୦ଟି ଇନ୍ସୁରାନ୍ସ କରାଇଥିଲେ। ସେଥିମଧ୍ୟରୁ ୨୧ଜଣ ପ୍ରାର୍ଥୀ ପଲିସି କରିଛନ୍ତି। କେବେ ଓ କାହିଁକି କଲେ ସେ ବାବଦରେ ଅଧିକ ଖୋଳତାଡ଼ ହେଉଛି। ଖାଲି ସେତିକି ନୁହେଁ, ସେମାନେ ଚାକିରି କରିଛନ୍ତି କି ନାହିଁ ସେ ବାବଦରେ ତଦନ୍ତ ଚାଲିଛି। ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି । ଏବେ ଭିଜିଲାନ୍ସ ସ୍କାନରରେ ଅନେକ ଲୋକ ଅଛନ୍ତି।