ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ବ୍ଲକ ଅନ୍ତର୍ଗତ ଗୋହିରାଡ୍ୟାମ ଡାକବଙ୍ଗଳାଠାରେ ଆଜି ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ କୁମାର ସିଂ ଓ ପୂର୍ବତନ ଜିଲ୍ଲା ପର୍ଯ୍ୟବେକ୍ଷ ଇଂ ନଳିନୀକାନ୍ତ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାରେ ଦଳୀୟ ସଂଗଠନକୁ ମଜଭୁୁତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଦଳ ମଧ୍ୟରେ କୌଣସି ଗୋଷ୍ଠୀ ନକରି ସମସ୍ତ ଦଳୀୟ କର୍ମୀ ଏକଜୁଟ ହୋଇ ପଞ୍ଚାୟତ ନିର୍ବାଚନରେ ଦଳକୁ ବିପୁଳ ବିଜୟୀ କରାଇବା ସହ ଜିଲ୍ଲାକୁ ଏକ ପ୍ରଗତିଶୀଳ ଜିଲ୍ଲା ଭାବେ ଗଢ଼ିବାକୁ ମନ୍ତ୍ରୀ ଶ୍ରୀ ସିଂ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ କୃଷକ ସେଲ ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ନୀସାନୀ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ, ଏସଡ଼ିସିସି ବ୍ୟାଙ୍କ ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ବାରକୋଟ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲା ବିଜୁ ମହିଳା, ଯୁବ ଓ ଛାତ୍ର ସଂଗଠନର ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।