ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ଶିଖପାଲ୍ଲୀ ପଡ଼ିଆ ରାସ୍ତା ମଧ୍ୟରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଦ୍ୱୟ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ନାମକୋଣ୍ଡା ଗ୍ରାମର ମାସା ସୋଡ଼ି ଓ କଷି ସୋଡି। ମିଳିଥିବା ରିପୋର୍ଟ ମୁତାବକ, ମାସା ଓ କଷି ଏକ ଅଟୋ ଯୋଗେ ଆଜି ସକାଳେ କୌଣସି କାମରେ ମାଲକାନଗିରି ଆସୁଥିଲେ। ଏହି ସମୟରେ ପଡ଼ିଆ ଓ ଶିଖପାଲ୍ଲୀ ରାସ୍ତା ମଧ୍ୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଉଭୟ ଗୁରୁତର ଆହତ ହୋଇଥିଲେ। ଅଟୋ ଡ୍ରାଇଭର ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଚିକିତ୍ସାଳୟରେ ଦୁହିଁଙ୍କୁ ଭର୍ତ୍ତି କରାଇଥିଲେ। ତେବେ ଉଭୟଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।