ରୂପା ଝିଅର ସୁନାର ହୃଦୟ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ ଜଣେ ମଣିଷ ସଫଳ ହେବା ପରେ ନିଜର ଅସ୍ତିତ୍ତ୍ୱକୁ ଭୁଲିଯିବା ସହ ତା’ ମନରେ ଅହଂଭାବ ଜାତ ହୋଇଥାଏ। ଖରାପ ଦିନରେ ତାକୁ ସାହାଯ୍ୟ କରିଥିବା ଲୋକଙ୍କୁ ସେ ଭୁଲି ଯାଇଥାଏ। କିନ୍ତୁ ଠିକ୍ ଏହାର ବିପରୀତ ଟୋକିଓ ଅଲମ୍ପିକ୍ସରେ ଭାରତକୁ ପ୍ରଥମ ରୌପ୍ୟ ପଦକ ଦେଇଥିବା ମୀରାବାଈ ଚାନୁଙ୍କଠାରେ ଦେଖିବାକୁ ମିଳିଛି। ମୀରାବାଈଙ୍କ ଅଲମ୍ପିକ ପଦକ ଯାତ୍ରା ଆଦୌ ସହଜ ନଥିଲା। ଏହି କଠିନ ଯାତ୍ରାରେ ମୀରାଙ୍କୁ ଅନେକ ଲୋକ ସାହାଯ୍ୟ କରିଥିବାବେଳେ ତାଙ୍କ ଘର ଦେଇ ଯାଉଥିବା ଟ୍ରକ ଡ୍ରାଇଭର ମଧ୍ୟ ଏଥିରେ ସାମିଲ ଥିଲେ।

ମଣିପୁରର ରାଜଧାନୀ ଇମ୍ଫାଲସ୍ଥିତ ଖେଳ ଆକାଡେମୀ ମୀରାବାଈଙ୍କ ଗାଁ ନୋଁଙ୍ଗପୋକ କାକଚିଙ୍ଗଠାରୁ ପାଖାପାଖି ୨୫ କିମ ଦୂରରେ ଥିଲା। ଗରିବ ପରିବାରରୁ ଆସିଥିବା ମୀରାଙ୍କ ପାଖରେ ପ୍ରତିଦିନ ଏତେ ଦୂର ଯାତ୍ରା କରିବା ପାଇଁ ଟଙ୍କା ନଥିଲା। କିନ୍ତୁ ପ୍ରତିଦିନ ସେ ଏହି ଟ୍ରକ ଡ୍ରାଇଭରଙ୍କଠାରୁ ଲିଫ୍ଟ ନେଇ ଆକାଡେମୀ ପହଞ୍ଚୁଥିଲେ।

ଆଉ ମୀରାବାଈ ଆଜି ପଦକ ଜିତିବା ପରେ ତାଙ୍କୁ ଆକାଡେମୀ ପହଞ୍ଚାଇବାରେ ସାହଯ୍ୟ କରିଥିବା ଟ୍ରକ ଡ୍ରାଇଭରଙ୍କୁ ଡାକି ସମ୍ମାନିତ କରିଛନ୍ତି। ମୀରା ପାଖାପାଖି ୧୫୦ ଡ୍ରାଇଭର ଓ ଷ୍ଟାଫଙ୍କୁ ଗୋଟିଏ ସାର୍ଟ, ଗୋଟିଏ ମଣିପୁରୀ ସାଲ୍ ସହ ପେଟପୁରା ଖାଇବାକୁ ଦେଇଛନ୍ତି। ଏହି ସମୟରେ ମୀରା ଭାବବିହ୍ୱଳ ହୋଇଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି।