ପ୍ୟାନକାର୍ଡ ଆକ୍ଟିଭ କରିବା ଆଳରେ ୭୦ ହଜାର ଟଙ୍କାର ସାଇବର ଲୁଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଥାନା ଅନ୍ତର୍ଗତ ଗର୍ରାଖାଇ ଅଞ୍ଚଳର ଜଣେ ଯୁବକଙ୍କ ପ୍ୟାନକାର୍ଡ ଆକ୍ଟିଭ କରାଇବା ଆଳରେ ସାଇବର ଠକମାନେ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଉମାଶଙ୍କର ସା ବେଲପାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ହେମଗିରର ଉମାଶଙ୍କର ସା କିଛିଦିନ ହେବ ବେଲପାହାଡ଼ ଥାନା ଅନ୍ତର୍ଗତ ଗର୍ରାଖାଇରେ ରହିବା ସହ ଏକ ପ୍ୟାନକାର୍ଡ କରିବା ପାଇଁ ଅନଲାଇନରେ ଆବେଦନ କରିଥିଲେ। ଆବେଦନ କରିବାର କିଛିଦିନ ପରେ ଜଣେ ବ୍ୟକ୍ତି ପ୍ୟାନକାର୍ଡ କାର୍ଯ୍ୟାଳୟରୁ ଫୋନ କରିଥିବା କହି ପ୍ରୋସେସିଙ୍ଗ ବାବଦକୁ ୪ ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ପରେ ଉମାଶଙ୍କର ମୋବାଇଲକୁ ଏକ ଲିଙ୍କ ପଠାଇ ଏହି ଲିଙ୍କରେ ୪ ଟଙ୍କା ପୈଠ କରିବା ପାଇଁ କହିଥିଲେ। ଉମାଶଙ୍କର ଲିଙ୍କ ମାଧ୍ୟମରେ ୪ଟଙ୍କା ପୈଠ କରିବା ପରେ ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ସାଇବର ଅପରାଧି ଜଣକ ଲୁଟି ନେଇଥିଲା। ଏନେଇ ଉମାଶଙ୍କର ବେଲପାହାଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରଞ୍ଜନ ବିଶ୍ୱାଳ ପ୍ରକାଶ କରିଛନ୍ତି।